July 27, 2024

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ: ବୁଥ୍ ମୁହାଁ ପୋଲିଂ ପାର୍ଟି

1 min read

ଭୁବନେଶ୍ବର : ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ଏବଂ ସାମଗ୍ରିକ ଭାବେ ଦେଶର ପଞ୍ଚମ ପର୍ଯ୍ୟାୟ ମତଦାନ ମେ’ ୨୦ରେ ଅନୁଷ୍ଠିତ ହେବ। ୫ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ଉପରୋକ୍ତ କ୍ଷେତ୍ରଗୁଡିକରେ ଶନିବାର ସନ୍ଧ୍ୟା ୫ଟାରେ ପ୍ରଚାର ସରିଛି। ଶାନ୍ତିଶୃଙ୍ଖଳାରେ ମତଦାନ ଗ୍ରହଣ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।
ସାମ୍ବାଦିକ ସମ୍ମିଳନୀରେ ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଦୂରଦୂରାନ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ପୋଲିଂ କର୍ମଚାରୀ ଗସ୍ତ କରିଛନ୍ତି। ଅବଶିଷ୍ଟ ପୋଲିଂ କର୍ମଚାରୀ ଆଜି ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବେ। ୫ ଲୋକସଭା ଆସନରେ ୪୦ ଏବଂ ବିଧାନସଭା ଆସନରେ ୨୬୫ ଏପରି ମୋଟ ୩୦୫ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ମତଦାତା। ଭୋଟର ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରି ନିଜ ମନପସନ୍ଦର ସାଂସଦ ଓ ବିଧାୟକ ବାଛିବେ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ। ୪୦ ଲକ୍ଷ ୩୩ ହଜାର ୯୯୨ ପୁରୁଷ, ୩୯ ଲକ୍ଷ ୩୫ ହଜାର ୦୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ମତଦାତା ଲିଙ୍ଗ ଅନୁପାତ ୯୭୫ ଥିବାବେଳେ ପ୍ରଥମ ମତଦାତା ୧୮ରୁ ୧୯ବର୍ଷ ବୟସ ଭୋଟର ୨ ଲକ୍ଷ ୧୩ ହଜାର ୧୨୯ଜଣ। ୨୦ରୁ ୨୯ବର୍ଷ ବୟସର ୧୬ ଲକ୍ଷ ୯୮ ହଜାର ୫୧୬ ମତଦାତା ରହିଛନ୍ତି। ୫୫,୮୮୨ ଜଣ ୮୫ ବର୍ଷରୁ ଊର୍ଦ୍ଧ୍ୱ ମତଦାତା, ୧୮୧୨ ଜଣ ୧୦୦ ବର୍ଷ ବୟସରୁ ଊର୍ଦ୍ଧ୍ବ ମତଦାତା, ୧,୦୭,୮୨୩ ଭିନ୍ନକ୍ଷମ ମତଦାତା, ୪୬ପ୍ରବାସୀ ମତଦାତା ଓ ୧୦,୬୩୦ ସର୍ଭିସ୍ ଭୋଟର ରହିଛନ୍ତି। ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ହୋଇଛି। ୯୧୪୮ ମତଦାନ କେନ୍ଦ୍ର ମଧ୍ୟରୁ ୧୦୯୦ଟି ସହରାଞ୍ଚଳ ଓ ୮୦୫୮ଟି ଗ୍ରାମାଞ୍ଚଳରେ ହୋଇଛି। ମତଦାନ କେନ୍ଦ୍ରଗୁଡିକ ମଧ୍ୟରୁ ୨୦ପ୍ରତିଶତ ବୁଥ ସମ୍ବେଧନଶୀଳ ଚିହ୍ନଟ ହୋଇଥିବା ବେଳେ ବୁଥଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୧୦୪୧ଟି ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ। ୨୫ଟି ସମ୍ପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର ରହିଛି। ମୋଟ ୧୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) କରାଯାଇଛି। ପ୍ରାୟ ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସଂସଦୀୟ କ୍ଷେତ୍ରର ମୋଟ ୪୦ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ପୁରୁଷ ୩୪ ଏବଂ ମହିଳା ୬ ପ୍ରାର୍ଥୀ ରହିଛନ୍ତି। ୩୫ଟି ବିଧାନସଭା କ୍ଷେତ୍ରରେ ମୋଟ ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷ ୨୨୪ ଓ ମହିଳା ୪୧ ପ୍ରାର୍ଥୀ। ଉକ୍ତ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ୧୦, ପୁଲିସ୍‌ ପର୍ଯ୍ୟବେକ୍ଷକ ୩, ବ୍ୟୟ ପର୍ଯ୍ୟବେକ୍ଷକ (ଲୋକସଭା) ୫ ଏବଂ ବ୍ୟୟ ପର୍ଯ୍ୟବେକ୍ଷକ(ବିଧାନସଭା) ୧୦ ନିୟୋଜିତ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ନିୟୋଜିତ ହୋଇଛନ୍ତି। ଏଥିରେ କନ୍ଧମାଳରେ ସବୁଠାରୁ ଅଧିକ ୨୨, ଗଞ୍ଜାମ ୨୦, ସୁନ୍ଦରଗଡ ୧୬, ବଲାଙ୍ଗିର ଓ ବରଗଡ଼ରେ ୧୪ ଲେଖାଏଁ । ଝାରସୁଗୁଡା ଓ ବୌଦ୍ଧରେ ୫ ଲେଖାଏଁ, ସୁବର୍ଣ୍ଣପୁର ୪, ନୟାଗଡ଼ରେ ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ପୋଲିଂ ଷ୍ଟେସନଗୁଡିକରେ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ସିଇଓ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *