July 27, 2024

ଜୟଦେବବାସୀ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭଲପାଇ ଆସିଛନ୍ତି: ପାଣ୍ଡିଆନ

1 min read

ବାଲିପାଟଣା: ଜୟଦେବବାସୀ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲପାଇ ଆସିଛନ୍ତି। ସେହିପରି ନବୀନ ପଟ୍ଟନାୟକଙ୍କ ହୃତ୍‌ସ୍ପନ୍ଦନରେ ମଧ୍ୟ ଜୟଦେବ ଲୋକେ ଦୀର୍ଘ ୨୫ ବର୍ଷ ଧରି ରହି ଆସିଛନ୍ତି। ସେଥିପାଇଁ ଜୟଦେବବାସୀ ସବୁବେଳେ ଭଲରେ ରହିବା ପାଇଁ ସେ ଚିନ୍ତାକରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଓ ଆପଣମାନଙ୍କ ଭଲ ପାଇବାକୁ ମିଶାଇ ଜୟଦେବ ଅଞ୍ଚଳର ବିକାଶ କରିବା। ୫ ବର୍ଷ ପରେ ନବୀନବାବୁଙ୍କୁ ଆଶୀର୍ବାଦ କରିବାର ସୁଯୋଗ ମିଳିଛି। ୫୦୦ କୋଟି ଟଙ୍କାରେ ଦୟାନଦୀ, କୁଶଭଦ୍ରା ଓ କୁଆଖାଇ ନଦୀରେ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥର ମଧ୍ୟ ଜୟଦେବବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ସେମାନଙ୍କର ଭଲ ପାଇବାକୁ ୨୫ ତାରିଖରେ ଶଙ୍ଖଚିହ୍ନରେ ଆଶୀର୍ବାଦ କରିବେ ବୋଲି ଆଶା। ଜୟଦେବ ବିଧାୟକ ପ୍ରାର୍ଥୀ ନବ କିଶୋର ମଲ୍ଲିକ ଓ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଉପରେ ନବୀନ ବାବୁଙ୍କ ଆଶୀର୍ବାଦ ଅଛି। ଯୋଡ଼ି ଶଙ୍ଖରେ ଉଭୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇ ସେବା କରାଇବାର ସୁଯୋଗ ଦେବେ। ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି ବିଜେଡି ନେତା ଭି. କେ ପାଣ୍ଡିଆନ। ଜୟଦେବ ନିର୍ବାଚନମଣ୍ଡଳୀ ଅଧୀନ ବାଲିପାଟଣା ସରିପୁର ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଆହୁରି କହିଲେ ନିର୍ବାଚନ ବେଳେ ବିରୋଧୀ ପାଖକୁ ଆସିବେ, ବଡ଼ ବଡ଼ କଥା କହିବେ, ମିଠା କଥା କହିବେ। ନିର୍ବାଚନ ସରିଲେ ଆଉ ସେମାନଙ୍କୁ ଯେତେ ଖୋଜିଲେ ପାଇବେ ନାହିଁ। ଏଠି ଜଣେ ସାଂସଦ ଅଛନ୍ତି, ଖୋଜିଲେ ପାଉଛନ୍ତି କି? ଆଖି ଦୃଶିଆ କାମ କିଛି କରିଛନ୍ତି କି? ମନ୍ଦିର, ମଠ, ମସ୍‌ଜିଦ ଓ କମ୍ୟୁନିଟି ଗୃହ, ସ୍କୁଲ ଉନ୍ନତୀକରଣ କିଛି କରିଛନ୍ତି କି? ସୁଖ ଦୁଃଖରେ ସାଥୀ ହୋଇଛନ୍ତି କି?

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ନିର୍ବାଚନମଣ୍ଡଳୀ ମୁଖ୍ୟ ସଂଗଠକ କମଳ କୁମାର ପାତ୍ର, ସହସଂଗଠକ ଚୌଧୁରୀ ଦ୍ବାରିକା ନାଥ ଦାଶ, ଜିଲ୍ଲା ପର୍ଯ୍ୟବେକ୍ଷକ କୈଳାସ ଚନ୍ଦ୍ର ପାତ୍ର, ପ୍ରଦୀପ୍ତ ଜେନାମଣି, ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ ଅଧ୍ୟକ୍ଷା ଓ ୬ଟି ଜିଲ୍ଲା ପରିଷଦ ଜୋନ୍‌ ‌ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *