ଚାମ୍ପିୟନ୍ସ ଟ୍ରଫି ପାଇଁ ସଞ୍ଜୁ ସାମ୍ସନଙ୍କୁ ଭାରତୀୟ କ୍ରିକେଟ ଦଳରୁ ବାଦ୍
1 min read
ଥିରୁଭାନନ୍ତପୁରମ: ଚାମ୍ପିୟନ୍ସ ଟ୍ରଫି ପାଇଁ ସଞ୍ଜୁ ସାମ୍ସନଙ୍କୁ ଭାରତୀୟ କ୍ରିକେଟ ଦଳରୁ ବାଦ୍ ଦିଆଯିବା ବିବାଦୀୟ ପ୍ରସଙ୍ଗରେ ମିଥ୍ୟା ଓ ଅପମାନଜନକ ବୟାନ ଦେଇଥିବାରୁ କେରଳ କ୍ରିକେଟ ଆସୋସିଏଶନ (କେସିଏ) ପୂର୍ବତନ ଭାରତ ପେସ୍ ବୋଲର ଏସ୍. ଶ୍ରୀସନ୍ଥଙ୍କୁ ୩ ବର୍ଷ ସସ୍ପେଣ୍ଡ କରିଛି। କୋଚିରେ କେସିଏର ସ୍ବତନ୍ତ୍ର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀସନ୍ଥ ବର୍ତ୍ତମାନ କେରଳ କ୍ରିକେଟ ଲିଗ୍ରେ କୋଲାମ ଏରିଜ ନାମକ ଏକ ଫ୍ରାଞ୍ଚାଇଜ୍ର ସହ-ମାଲିକ ଅଛନ୍ତି। ପୂର୍ବରୁ ତାଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଶ୍ରୀସନ୍ଥଙ୍କ ସହିତ କୋଲାମ ଏରିଜ, ଅଲାପୁଝା ଟିମ୍ ଲିଡ୍ ଓ ଅଲ୍ଲାପୁଝା ରିପ୍ଲେସ ଫ୍ରାଞ୍ଚାଇଜ୍ ଦଳକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।
ଫ୍ରାଞ୍ଚାଇଜ ଟିମ୍ଗୁଡ଼ିକ ସନ୍ତୋଷଜନକ ଉତ୍ତର ଦେଇଥିବାରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ତେବେ ଟିମ୍ ମ୍ୟାନେଜମେଣ୍ଟର ସଦସ୍ୟ ନିଯୁକ୍ତି ବେଳେ ଅଧିକ ସାବଧାନତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀସନ୍ଥ ଦୁଇଟି ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ।
ଏକ ମାଲାୟଲମ ଟେଲିଭିଜନ ଚ୍ୟାନେଲରେ ଏକ ପ୍ୟାନେଲ ସହିତ ଆଲୋଚନା ବେଳେ ସେ ରାଜ୍ୟ କ୍ରିକେଟ ଆସୋସିଏଶନ ଓ ସାମସନଙ୍କୁ ନେଇ ତାଙ୍କର ମନ୍ତବ୍ୟ ଦେଇଥିଲେ। ଏଥିରେ ସେ ସାମସନଙ୍କ ପ୍ରତି ତାଙ୍କ ର ସମର୍ଥନ ଜ୍ଞାପନ କରିବା ସହ କେରଳର ଅନ୍ୟ ଖେଳାଳିଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ କାର୍ଯ୍ୟକରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ। ବିଜୟ ହଜାରେ ଟ୍ରଫି ପାଇଁ କେରଳ ଦଳରୁ ସାମ୍ସନଙ୍କୁ ବାଦ୍ ଦିଆଯିବାରୁ ଭାରତର ଚାମ୍ପିୟନ୍ସ ଟ୍ରଫି ଦଳ ପାଇଁ ଏହି ଖେଳାଳିଙ୍କ ସମ୍ଭାବନାକୁ ପ୍ରଭାବିତ କରିଥିଲା ବୋଲି ଦର୍ଶାଇ ସେ କେସିଏକୁ ସମାଲୋଚନା କରିଥିଲେ।