ଚିରନିଦ୍ରାରେ ରମାକାନ୍ତ
1 min read
ଭୁବନେଶ୍ବର: ବିଶିଷ୍ଟ କବି, ଅବସରପ୍ରାପ୍ତ ପ୍ରଶାସକ ରମାକାନ୍ତ ରଥ ଆଉ ନାହାନ୍ତି। ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ୯୧ ବର୍ଷ ବୟସରେ ରବିବାର ସକାଳେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ସମଗ୍ର ଦେଶର ସାରସ୍ବତ ଜଗତରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ରଥଙ୍କ ପରଲୋକ ଖବର ପାଇ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜନେତା, ପ୍ରଶାସକ ଓ ସାହିତ୍ୟିକ ଶୋକପ୍ରକାଶ କରିଛନ୍ତି। ରାଜନୀତି ଓ ସାରସ୍ବତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ଖାରବେଳନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଗତ ପାଞ୍ଚମାସ ହେଲା ସ୍ବର୍ଗତ ରଥଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ରହିଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ। ଶରୀର ଅସୁସ୍ଥ ହେଉଥିବାରୁ ତାଙ୍କୁ ବାରମ୍ବାର ମେଡିକାଲରେ ଭର୍ତ୍ତି କରାଯାଉଥିଲା। ଆଜି ଭୋର୍ ସାଢ଼େ ୪ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏକମାତ୍ର ପୁଅ ସିଙ୍ଗାପୁରରୁ ଆସିବା ପରେ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ହେବ ବୋଲି ସରକାର ଘୋଷଣା କରିଛନ୍ତି।