July 27, 2024

ମଶା କବଳରେ ଜଟଣୀବାସୀ, ପୌରପାଳିକା ନିରବଦ୍ରଷ୍ଟା

1 min read

ଜଟଣୀ: ଜଟଣୀ ପୌରପାଳିକା ଅଧୀନସ୍ଥ ସମସ୍ତ ୱାର୍ଡରେ ମଶା ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୌର ପ୍ରଶାସନ ମଶା ମାରିବାକୁ ନେଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଜଟଣୀବାସୀ ଅଭିଯୋଗ କରିଛନ୍ତି। ମଶା ଧୂଆଁ ଗାଡ଼ି କେବଳ କିଛି ମୁଖ୍ୟ ରାସ୍ତା ଦେଇ ପଳାଉଥିବାରୁ ଗଳିକନ୍ଦିରେ ମଶାଙ୍କ ପ୍ରାଦୁର୍ଭାବ ଅସହ୍ୟ ହୋଇପଡ଼ିଲାଣି। ସେହିଭଳି ଠିକ୍‌ ଭାବରେ ନାଳ ନର୍ଦମା ସଫେଇ ହେଉନଥିବା ମଧ୍ୟ ମଶା ବଂଶ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି। ଦିନ ରାତି ୨୪ ଘଣ୍ଟା ମଶା କାମୁଡ଼ାରେ ଲୋକେ ବଡ଼ କଲବଲ ହେଉଥିବା କହିଛନ୍ତି।ପୌରପାଳିକା ଅଧୀନସ୍ଥ ୨୩ ୱାର୍ଡରେ ଅନେକ ସ୍ଥାନରେ ନାଳ, ନର୍ଦ୍ଦମା ଓ ପୁରାତନ ଗାଡ଼ିଆରେ ବର୍ଷ ବର୍ଷ ହେଲା ଆବର୍ଜନା ପାଣି ଜମି ରହିଛି। ଡ୍ରେନ୍‌ଗୁଡ଼ିକ ନିୟମିତ ସଫା କରାଯାଉନାହିଁ। ଫଳରେ ଡ୍ରେନ୍‌ମାନଙ୍କରେ ଜମି ରହୁଥିବା ପଚା ପା‌ଣିରେ ମଶା ବଂଶ ବଢ଼ାଇବା ସହଜ ହେଉଛି। ଏଭଳି ସ୍ଥାନସବୁକୁ ଚିହ୍ନଟ କରି ମଶା ମରା ତେଲ ପକାଇବାକୁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି।

ସେହିଭଳି ପୁରାତନ ଗାଡ଼ିଆଗୁଡ଼ିକରେ ମଶା ଲାର୍ଭା ଖାଉଥିବା ମାଛ ଛାଡ଼ିବାକୁ ବାରମ୍ୱାର ଦାବି ହୋଇଆସୁଛି। କିନ୍ତୁ ପୌର ପ୍ରଶାସନ ଲୋକଙ୍କ ଏହି ଦାବି ପ୍ରତି ଉଦାସୀନ। ଏବେ ଜଟଣୀ ସହରର ସବୁ ଅଞ୍ଚଳର ସ୍ଥିତି ସାଂଘାତିକ। ଘର, ଅଗଣା, ବାଡ଼ି, ବଗିଚା ସବୁଠି ମଶା ଭଣଭଣ ହେଉଛନ୍ତି। ଠିଆ ହେଉହେଉ ଘେରି ଯାଉଛନ୍ତି। ଟିକିଏ ଛାଇ ବା ଅନ୍ଧାରିଆ ଜାଗାରେ ମଶା କାମୁଡ଼ି କାମୁଡ଼ି ଗୋଡ଼, ହାତ, ମୁହଁ ଫୁଲାଇ ଦେଉଛନ୍ତି। ଝୁଣା ଧୂଆଁ ଓ ନାମୀଦାମୀ ବ୍ରାଣ୍ଡର ମଶାବତୀ ମଧ୍ୟ ସେମାନଙ୍କୁ କାଟୁ କରୁନି। ମଶାମରା ନେଟ୍‌ରେ ଯେତିକି ମରୁଛନ୍ତି, କବାଟ ଝରକା ଖୋଲୁଖୋଲୁ ତା’ର ତିନିଗୁଣା ପଶି ଯାଉଛନ୍ତି। କି ସନ୍ଧ୍ୟା କି ଦିନ, ସବୁବେଳେ କବାଟ ଝରକା ବନ୍ଦ କରିବାକୁ ପଡ଼ୁଛି। ସଂଜ ବୁଡ଼ୁବୁଡ଼ୁ ଅବସ୍ଥା ଅସମ୍ଭାଳ। ଘରେ ବସି କୌଣସି କାମ କରିବା ସମ୍ଭବ ହେଉନାହିଁ। ପିଲାମାନେ ଭଲରେ ପଢ଼ିପାରୁନାହାନ୍ତି। ତେଣୁ ପୌର ପ୍ରଶାସନ ତୁରନ୍ତ ଡ୍ରେନ୍‌ ସଫେଇ କରିବା ସହିତ ଗଳିକନ୍ଦିରେ ମଶା ଧୂଆଁ ଗାଡ଼ି ବୁଲାଇବାକୁ ଦାବି ହେଉଛି।

ଏଥିସହିତ ପୁରାତନ ଗାଡ଼ିଆଗୁଡ଼ିକ‌ରେ ମଶା ଲାର୍ଭା ଖିଆ ଗମ୍ବୁସିଆ ମାଛ ଛାଡ଼ିବାକୁ ଜଟଣୀବାସୀ ଦାବି କରିଛନ୍ତି। ଏନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି ଯେ ମଶା ଧୂଆଁ ଗାଡ଼ି ସବୁ ଅଞ୍ଚଳରେ ବୁଲୁଛି। ଯେଉଁ ଗଳିକନ୍ଦିକୁ ଗାଡ଼ି ଯିବା ସମ୍ଭବ ହେଉନାହିଁ, ସେଠାରେ ଅସୁବିଧା ରହିଛି। ବହୁ ଅପରିଷ୍କାର ଜାଗାରେ ମଶା ମରା ତେଲ ବି ପକାଯାଉଛି। କିନ୍ତୁ ଲୋକେ ସଚେତନ ହେବା ଜରୁରି। ନିଜ ନିଜ ଅଞ୍ଚଳକୁ ସଫାସୁତରା ରଖିବାରେ ଉଭୟ ପୌରପାଳିକା ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମ ଲୋଡ଼ା।

Leave a Reply

Your email address will not be published. Required fields are marked *