Categories

February 8, 2026

ଓଡ଼ିଶାରେ ଖୋଲିବ ନାସନାଲ ସ୍କୁଲ ଅଫ୍ ଡ୍ରାମାର ଆଞ୍ଚଳିକ ଶାଖା

1 min read

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ନାସନାଲ ସ୍କୁଲ ଅଫ୍ ଡ୍ରାମାର (ଏନଏସଡି) ଆଞ୍ଚଳିକ ଶାଖା। ଭୁବନେଶ୍ୱରରେ ଏହାର ନୂଆ କ୍ୟାମ୍ପସ୍‌ ସ୍ଥାପନ ହେବ। ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ପାଠ୍ୟକ୍ରମ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

“ଓଡ଼ିଶାରେ ଏନଏସଡିର ଆଞ୍ଚଳିକ ଶାଖା ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ। ଏଠାରେ ଅଭିନୟ, ଲିଖନ, ଡିଜାଇନ୍ ଓ ନିର୍ଦ୍ଦେଶନା ଉପରେ ପାଠପଢ଼ା ହେବ। ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ନୂଆ ସୁଯୋଗ ପ୍ରଦାନ କରିବ”, କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।

ଏନଏସଡିର ନୂଆ କ୍ୟାମ୍ପସ୍‌ ପାଇଁ ଭୁବନେଶ୍ଵର ଆଖପାଖ ଅଞ୍ଚଳରେ ଖୁବ ଶୀଘ୍ର ଜମି ଚିହ୍ନଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ନାଟକ ଏବଂ ଅଭିନୟ ଶିକ୍ଷା କ୍ଷେତ୍ରରେ ନାସନାଲ ସ୍କୁଲ ଅଫ୍ ଡ୍ରାମା ଭାରତର ଏକ ପ୍ରତିଷ୍ଠିତ ଅନୁଷ୍ଠାନ। ଏହା ୧୯୫୯ ମସିହାରେ ନୂଆଦିଲ୍ଲୀରେ ସ୍ଥାପିତ ହୋଇଥିଲା। ଓଡ଼ିଶାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ଅଜିତ ଦାସ, ସୂର୍ଯ୍ୟ ମହାନ୍ତି ପ୍ରମୁଖ ଏହି ବିଦ୍ୟାଳୟର ଛାତ୍ର ରହି ଆସିଛନ୍ତି। ବିଶିଷ୍ଟ ବଲିଉଡ ଅଭିନେତା ରାୱଲ ଏବେ ଏନଏସଡିର ଅଧ୍ୟକ୍ଷ ରହିଥିବାବେଳେ ଓଡ଼ିଶାର ବିଶିଷ୍ଟ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।