ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
1 min read
CREATOR: gd-jpeg v1.0 (using IJG JPEG v62), quality = 82
ପୋଲାଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ଯାଇଛନ୍ତି। ଗୁରୁବାର ସେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ଵିପାକ୍ଷୀକ ଆଲୋଚନା କରିଛନ୍ତି। ଏହାପରେ ସେ ପୋଲାଣ୍ଡର ରାଷ୍ଟ୍ରପତି ଆନ୍ଦ୍ରେଜ୍ ସବାଷ୍ଟିଆନ ଡୁଡାଙ୍କ ସହ ସାକ୍ଷାତ କରିଛନ୍ତି। ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଭାରତ ଓ ପୋଲାଣ୍ଡ ମଧ୍ୟରେ ବାଣିଜ୍ୟ, ଖାଦ୍ୟ ସୁରକ୍ଷା ତଥା କୂଟନୈତିକ ସମ୍ପର୍କକୁ ଦୃଢ଼ କରିବା ଦିଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଉଭୟ ନେତା ଭାରତ ଓ ପୋଲାଣ୍ଡ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ପାଇଁ ସହମତ ହୋଇଛନ୍ତି।
ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପୋଲାଣ୍ଡର ରାଜଧାନୀ ୱାରସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ବିମାନବନ୍ଦରରେ ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଭାରତ ଓ ପୋଲାଣ୍ଡ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହି ଯାତ୍ରା କରିଛନ୍ତି। ଏହି ଅବସରରେ ସେ ପୋଲାଣ୍ଡରେ ରହୁଥିବା ଭାରତୀୟ ଲୋକମାନଙ୍କୁ ଭେଟି ଥିଲେ।
୧୯୭୯ରେ ଶେଷ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋରାର୍ଜୀ ଦେଶାଇ ପୋଲାଣ୍ଡ ଗସ୍ତ କରିଥିଲେ। ଦୀର୍ଘ ୪୫ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପୁଣି ପୋଲାଣ୍ଡ ଗସ୍ତ କରିଛନ୍ତି। ପୋଲାଣ୍ଡ ଗସ୍ତ ସାରି ପ୍ରଧାନମନ୍ତ୍ରୀ ଶୁକ୍ରବାର ୟୁକ୍ରେନର ରାଜଧାନୀ କିଭ ଅଭିମୁଖେ ବାହାରିବେ। ସେଠାରେ ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ୨୦୨୨ରେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ୟୁକ୍ରେନରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସ୍ଥିତି ସୁଧାରିବା ବିଷୟରେ ଏଠାରେ ଆଲୋଚନା ହେବାର ସମ୍ଭାବନା ରହିଛି।