July 26, 2024

ପ୍ରତାପ ଷଡଙ୍ଗୀ ଙ୍କ ନାମାଙ୍କନପତ୍ର ଦାଖଲ ପ୍ରସଙ୍ଗ : ପ୍ରାଣୀଙ୍କୁ ନିର୍ଯାତନା ଅଭିଯୋଗ ଆଣିଛି ବିଜେଡି

1 min read

ବାଲେଶ୍ୱର: ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରାଣୀଙ୍କୁ ନିର୍ଯାତନା ନେଇ ଷଡଙ୍ଗୀ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ଗୁରୁବାର ବିଜେଡି ଉପସଭାପତି ବରଦା ପ୍ରସନ୍ନ ପଟ୍ଟନାୟକ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ବରଦା ଏନେଇ ଗଣମାଧ୍ୟମକୁ କହିଛନ୍ତି, ଗତ ୧୪ତାରିଖରେ ଭାଜପା ଏମ୍‌ପି ପ୍ରାର୍ଥୀ ଷଡଙ୍ଗୀ ଯେଉଁଭଳି ଭାବେ ଘୋଡାଚଢ଼ି ନାମାଙ୍କନ ପତ୍ର ଦାଖଲ କଲେ ତାହା ସମ୍ବିଧାନ ବିରୋଧୀ। ନିର୍ବାଚନ କମିଶନରଙ୍କଠାରେ ଏ ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇଛି। ଯେହେତୁ ଉକ୍ତ ଅଞ୍ଚଳରେ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସେନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରାଯାଇଛି। ଖରା ଜନିତ ପ୍ରଚଣ୍ଡ ଉତ୍ତାପ ସମୟରେ ପ୍ରାଣୀଙ୍କୁ କିଭଳି ନିର୍ଯାତନା ଦିଆଯାଉଛି ତାହାର ଏକ ଉଦାହରଣ ହେଉଛି ସେଦିନର ଘୋଡା ଚଢ଼ିବା। କେବଳ ଏମ୍‌ପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନାମରେ ଏହି ଅଭିଯୋଗ କରାଯାଇଛି। ନିର୍ବାଚନ କମିଶନର ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଏଥିସହ ବିଜେଡି ଏମ୍‌ପି ପ୍ରାର୍ଥୀଙ୍କ ଏଜେଣ୍ଟ ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ କର କହିଛନ୍ତି, ପ୍ରକୃତରେ ଷଡଙ୍ଗୀ ଯାହା କରିଛନ୍ତି ତାହା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ। ଏଥିରେ ଆନିମାଲ ଆକ୍ଟ ଅନୁସାରେ ପ୍ରାଣୀ କିମ୍ବା ଛୋଟ ପିଲାମାନଙ୍କୁ ବ୍ୟବହାର କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *