April 27, 2026

ନିବେଶ ପାଇଁ ଲୋକେ କିଣୁଛନ୍ତି ଅଧିକ ସୁନା

1 min read

ନୂଆଦିଲ୍ଲୀ: ପୂର୍ବରୁ ‌ଲୋକମାନେ ସୁନା ଗହଣା ଅଧିକ କିଣୁଥିଲେ। କିନ୍ତୁ ବର୍ତ୍ତମାନ ଏହି ଅଭ୍ୟାସରେ ପରିବର୍ତ୍ତନ ଆସିଛି। ନିବେଶ ପାଇଁ ଲୋକମାନେ ଅଧିକ ସୁନା କିଣୁଛନ୍ତି ବୋଲି କେୟାରଏଜ୍‌ ରେଟିଂସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଂସ୍ଥାର କହିବାନୁଯାୟୀ, ଦେଶରେ ୨୦୨୫ ମସିହାରେ ନିବେଶ ପାଇଁ କିଣାଯାଉଥିବା ସୁନାର ଭାଗ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୪ ମସିହାରେ ଏହା ୨୯ ପ୍ରତିଶତରେ ରହିଥିଲା। ସୁନା ଇଟିଏଫ୍‌, ବାର୍‌ ଏବଂ କଏନ୍‌ ଆଦି ଲୋକମାନେ ଅଧିକ ମାତ୍ରାରେ କିଣୁଛନ୍ତି। ବର୍ତ୍ତମାନର ଭୂରାଜନୈତିକ ଅସ୍ଥିରତାରେ ସୁନାରେ ନିବେଶକୁ ଲୋକମାନେ ସୁରକ୍ଷିତ ମଣୁଛନ୍ତି। ଏଥିସହ ନିବେଶ ପୋର୍ଟଫୋଲିଓକୁ ବ୍ୟାପକ କରି ସେଥିରେ ସୁନାକୁ ସାମିଲ କରୁଛନ୍ତି। ଏଥିପାଇଁ ସୁନା କ୍ରୟ ବ୍ୟବହାରରେ ଏଭଳି ପରିବର୍ତ୍ତନ ଆସିଛି। ଗୋଟିଏ ବର୍ଷରେ ଯେତିକି ସୁନା ବିକ୍ରି ହୋଇଥାଏ ସେଥିରେ ଗହଣାର ଅଂଶ ପ୍ରାୟ ୭୦ ପ୍ରତିଶତ ସାଧାରଣତଃ ରହିଥାଏ। କିନ୍ତୁ ୨୦୨୫ ମସିହାରେ ଏହା ୬୦ ପ୍ରତିଶତ ତଳକୁ ଖସିଆସିଛି।