ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ୯୦ ବର୍ଷ ବୟସରେ ଦେହାନ୍ତ
1 min read
ଭୁବନେଶ୍ୱର,୪ା୬: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଓଡ଼ିଶାରେ କଳା ଓ ସଂସ୍କୃତିର ବଡ଼ ଗବେଷକ ଭାବେ ସେ ବେଶ୍ ସୁପରଚିତ ଥିଲେ। ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ପ୍ରଶାସନିକ ସେବା (IAS) ଚାକିରି ଛାଡ଼ି ସାହିତ୍ୟ ସାଧନା କରିଥିଲେ। ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ଲେଖି ସେ ସୁଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ସମ୍ବାଦ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ କେବଳ ଜଣେ ଉଚ୍ଚକୋଟୀର ସାହିତ୍ୟିକ ନ ଥିଲେ, ବରଂ ଭାରତୀୟ ପ୍ରଶାସନିକ ସେବା (IAS)ର ଜଣେ ଦକ୍ଷ ଅଧିକାରୀ ଭାବେ ସେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ରାଜ୍ୟ ଓ ଦେଶର ସେବାରେ ନିଜକୁ ନିୟୋଜିତ କରିଥିଲେ। ସାହିତ୍ୟର ପ୍ରତ୍ୟେକ ବିଭାଗରେ ନିଜର ସୃଜନଶୀଳତାର ସ୍ୱତନ୍ତ୍ର ଛାପ ଛାଡିଯାଇଥିବା ଜେ.ପି. ଦାସଙ୍କ ବିୟୋଗ ଆମ ସାରସ୍ୱତ ଜଗତପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି ।
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ ‘ସ୍ତବକ’ ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେଶନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ ‘ଆଗାମୀ’ର ସମ୍ପାଦନା କରୁଥିଲେ। ୧୯୬୦ରେ ସେ ଦୁଇଟି ନାଟକ ଲେଖିଥିଲେ। ୧୯୭୦ରେ ସେ ନିଜର ଚିତ୍ରସମୂହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା ‘ହୋମି ଭାବା ବୃତ୍ତି’ଦ୍ୱାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ ‘ପୁରୀ ପେଣ୍ଟିଙ୍ଗସ’ ନାମରେ ପ୍ରକାଶ ପାଇଥିଲା


