August 28, 2026

ନେପାଳର ଶବ ସଂରକ୍ଷଣ ଗୃହର ଘୋର ଅଭାବ ଦେଖା ଦେଇଛି

1 min read

ନେପାଳ: ଗୋଟିଏ ନୁହଁକି ଦୁଇଟି ନୁହଁ । ଏକାଥରେ ପାଖାପାଖି ୫୦୦ ଶବ! କେଉଁଠି ରଖାଯିବ ଏତେ ସଂଖ୍ୟାରେ ଶବଙ୍କୁ! କେଉଁଠି ଶବ ଚିହ୍ନଟ ହୋଇପାରିନି ତ କେଉଁଠି ଶବ ଚିହ୍ନଟ ପରେ ବି ପୋଷ୍ଟମର୍ଟମ ହୋଇପାରିନି । ଏପରି ସ୍ଥଳେ ଶବଗୁଡ଼ିକୁ ମର୍ଗ ବା ଶବ ସଂରକ୍ଷଣ ଗୃହରେ ରଖାଯିବା କଥା । କିନ୍ତୁ ନେପାଳର ଯେଉଁସ୍ଥାନରେ ଏତେ ସଂଖ୍ୟାରେ ମୃତଦେହ ମିଳିଛନ୍ତି, ସେଠି ଶବ ସଂରକ୍ଷଣ ଗୃହର ଘୋର ଅଭାବ ଦେଖା ଦେଇଛି । ଶବ କେଉଁଠି ସଂରକ୍ଷିତ କରି ରଖିବେ, ସେ ନେଇ ଚିନ୍ତାରେ ପଡିଯାଇଛନ୍ତି ନେପାଳ ସରକାର ।
ଗତ ବୁଧାବାର ନେପାଳ-ତିବ୍ଦତ ସୀମରେ ହଠାତ୍ ପ୍ରଳୟଙ୍କରୀ ବନ୍ୟା ଆସିବା ଯୋଗୁ ହଜାର ହଜାର ଲୋକ ନିଖୋଜ ହୋଇଯାଇଚନ୍ତି । ସରକାରୀ ଭାବେ ୪୭୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ଅର୍ଥାତ ଏତିକି ସଂଖ୍ୟକ ଶବ ଏଯାବତ ଠାବ ହୋଇ ପାରିଛି । ଏଥିମଧ୍ୟରେ ଅଧିକାଂଶ ହେଉଚନ୍ତି ବିଦେଶୀ ନାଗରିକ । ସେମାନଙ୍କ ଶବକୁ ଚିହ୍ନଟ ପରେ ସ୍ୱଦେଶ ପଠାଯିବା କଥା । ସେତେଦିନ ଯାଏ ଶବକୁ ସଂରକ୍ଷଣ ଗୃହରେ ଠିକ୍ ଭାବେ ନ ରଖିଲେ, ସେଗୁଡିକ ନଷ୍ଟ ହୋଇଯିବ । ସ୍ଥାନୀୟ ଅଂଚଳରେ, ବିଶେଷ କରି ଅଘଟଣ ଘଟିଥିବା ନୂଆକୋଟ, ଧାଡିଂ ଏବଂ ନୱାଲପରାସି ଅଂଚଳରେ ଏତେ ସଂଖ୍ୟକ ମର୍ଗ ନାହିଁ । ପଡୋଶୀ ପୋଖରା ଜିଲାରେ ଥିବା ମର୍ଗଗୁଡିକୁ ମଧ୍ୟ ଏହା ଭିତରେ ବ୍ୟବହାର କରାଯାଇ ସାରିଲାଣି । ଚିତାୱାନ ନାମକ ସ୍ଥାନରେ ସରକାରଙ୍କ ପଖରୁ ଏକ ଅସ୍ଥାୟୀ ମର୍ଗ କରାଯାଇ ସେଠାରେ ଶବଗୁଡିକୁ ରଖାଯିବାର ବ୍ୟବସ୍ଥା କରାଯାଉଛି । ଏହି ଅସ୍ଥାୟୀ ଶବ ସଂରକ୍ଷଣ ଗୃହରେ ଅତିବେଶିରେ ୨୫୦ ଶବ ରଖାଯିବାର କ୍ଷମତା ରହିଛି । ଯଦି ଏହି ସଂଖ୍ୟା ଅହୁରି ବଢିଯାଏ, ତେବେ ସ୍ଥାନୀୟ ଦେବଘାଟ ବୈଦୃୁତିକ ମଶାଣୀରେ ବାଧ୍ୟହୋଇ କିଛି ଶବ ସତ୍କାର କରିବାକୁ ସରକାର ଚିନ୍ତା କରୁଛନ୍ତି । ପୋଖରା ଏକାଡେମୀ ଅଫ ହେଲ୍‌ଥ ସାଇନ୍ସର ଇନଫରମେସନ ଅଫିସର ସୁଶୀଲ ଆର୍ଯ୍ୟ କହନ୍ତି, ‘ଶବଗୁଡ଼ିକୁ ଏବେ ୨ରୁ ୬ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସଂରକ୍ଷିତ ରଖାଯାଇଛି । ଅତିବେଶିରେ ଏହା ୨ ସପ୍ତାହ ପର୍ଯ୍ୟନ୍ତ ଠିକ୍ ଭାବେ ରହିପାରିବ । ତା ଠୁ ଅଧିକ ଦିନ ରଖିବାକୁ ହେଲେ ସେମିତି ଶବ ସଂରକ୍ଷଣ ଗୃହର ଆବଶ୍ୟକତା ରହିଛି ଯାହା ଆମ ପାଖରେ ନାହିଁ ।’ ଏହାର ଅର୍ଥ ଯେଉଁ ଶବଗୁଡିକ ୨ ସପ୍ତାହ ମଧ୍ୟରେ ଚିହ୍ନଟ ହୋଇ ନ ପାରିବ, ତାକୁ ସେଇଠି ହିଁ ସତ୍କାର କରିଦିଆଯିବ ।

ଚିହ୍ନଟ ହୋଇ ନ ଥିବା ଶବ ପାଇଁ ଟ୍ୟାଗ୍ ନମ୍ବର:
ଯେଉଁ ଶବଗୁଡ଼ିକ ଚିହ୍ନଟ ହୋଇ ନ ପାରିବ, ସରକାର ବାଧ୍ୟ ହୋଇ ସେଇଠି ତାଙ୍କର ଅନ୍ତିମ ସତ୍କାର କରାଇବେ । ତେବେ ସତ୍କାର ପୂର୍ବରୁ ଶବର ସଂପୂର୍ଣ୍ଣ ବିବରଣୀ ରଖାଯିବାର ବ୍ୟବସ୍ଥା କରାଯାଉଛି । ପ୍ରତିଟି ମୃତବ୍ୟକ୍ତିଙ୍କ ଫଟୋ, ତାଙ୍କ ଫିଙ୍ଗରପ୍ରିଂଟ ଇତ୍ୟାଦି ରଖାଯିବା ସହ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇ ଲ୍ୟାବକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ଏସବୁକୁ ଏକାଠି କରି ଗୋଟିଏ ଯାଗାରେ ରଖାଯିବ । ଏହାର ଏକ ଟ୍ୟାଗ୍ ନମ୍ବର ବାହାରିବ । ପରବର୍ତୀ ସମୟରେ ମୃତବ୍ୟକ୍ତିମାନଙ୍କ ସଂପର୍କୀୟଙ୍କୁ ଏହା ପ୍ରଦାନ କରାରିବ ।