October 27, 2024

ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ହେଲେ ସାମିଲ ନବୀନ

1 min read

ଭୁବନେଶ୍ୱର : ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ମୋହନ ସରକାର। ଗତକାଲି ବିଜେପି ଦଳର ନେତା ହେବା ପରେ ଆଜି ଜନତା ମଇଦାନରେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶ୍ରୀ ମାଝୀ ଶପଥ ପାଠ କରିଛନ୍ତି। ଏହି ଅବସରରେ ବିଜୁ ଜନତା ଦଳ(ବିଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଆଜି ନିମନ୍ତ୍ରଣ ଦେବାକୁ ଯାଇଥିଲେ ନିଜେ ମୋହନ ମାଝୀ।

ଶପଥ ପାଠ ସମାରୋହକୁ ଆସିବାକୁ ମୋହନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ନବୀପ ପଟ୍ଟନାୟକ। ପ୍ରତିଶ୍ରୁତି ରକ୍ଷା କରି ନବୀନ ପଟ୍ଟନାୟକ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶପଥ ଗ୍ରହଣରେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ମଞ୍ଚରେ ପହଞ୍ଚିଥିଲେ, ମଂଚାସୀନ ଥିବା ସମସ୍ତ ବିଜେପି ନେତୃବୃନ୍ଦ ଛିଡା ହୋଇ ନବୀନଙ୍କୁ ସମ୍ମାନ ଜଣାଇବା ସହିତ ସ୍ୱାଗତ କରିଥିଲେ | ଆଉ ସ୍ୱଭାବ ସୁଲଭ ଢ଼ଙ୍ଗରେ ନମସ୍କାର ଓ ପ୍ରତି ନମସ୍କାର କରି, ଆସନ ପାଖକୁ ଅଗେଇ ବଢ଼ୁଥିବା ବେଳେ ଜଣେ ପରେ ଜଣେ ବରିଷ୍ଠ ବିଜେପି ନେତା ଆସି ବିଜେଡି ସୁପ୍ରିମୋଙ୍କୁ ସମ୍ମାନ ଜଣାଉଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନବୀନ ପଟ୍ଟନାୟକଙ୍କୁ ବାଟ କଢ଼େଇ ତାଙ୍କ ଆସନ ପାଖକୁ ନେଇ ଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା. ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ମଞ୍ଚ ଉପରେ ଭାବ ବିନିମୟ କରୁଥିବା ଦେଖିବାକୁ ମିଳିଥିଲା ।ବର୍ତ୍ତମାନ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *