July 27, 2024

ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଅପରାହ୍‌ଣରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି| ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଗତ ମାସ ୧୩ ତାରିଖ ଠାରୁ ୪ଟି ପର୍ଯ୍ୟାୟ(ମେ ୧୩, ୨୦, ୨୫ ଓ ଜୁନ୍‌ ୧)ରେ ମତଦାନ ହୋଇଥିଲା। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିଛି। ବିଜେପି ୭୮ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଛି। ବିଜେଡିକୁ ୫୧, କଂଗ୍ରେସକୁ ୧୪ଟି ଆସନ ମିଳିଛି।

ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ମୋହନ ଚରଣ ମାଝୀଙ୍କୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ବିଜେପି। ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କ ନାଁରେ ମୋହର ବାଜିଛି। ଜୁନ ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ଜନତା ମଇଦାନଠାରେ ଶପଥ ଗ୍ରହଣ ଉତ୍ସବ ପାଇଁ ହୋଇଛି ବ୍ୟାପକ ଆୟୋଜନ।ମୋହନ ମାଝୀ କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ରାଇକଳାରେ ୧୯୭୨ ମସିହା ଜାନୁଆରି ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ (କଳା)। ସେ ୨୦୦୦, ୨୦୦୪, ୨୦୧୯ ଓ ୨୦୨୪ରେ ବିଜେପି ଟିକେଟ୍‌ରେ କେନ୍ଦୁଝର ଆସନରୁ ବିଜୟୀ ହୋଇଛନ୍ତି। ୨୦୦୫ ଫେବ୍ରୁଆରି ୨୮ରୁ ୨୦୦୯ ମାର୍ଚ୍ଚ ୯ ତାରିଖ ଯାଏଁ ସେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ଥିଲେ।

ଏହା ସହ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ବିଜେପି।ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଯାଉଥିବାରୁ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।୨୪ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ। ଓଡ଼ିଶାର ବିଜେଡିର ବିପୁଳ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବୀନ ପଟ୍ଟନାୟକ। ଏବେ ଆଗାମୀ ୫ ବର୍ଷ ପାଇଁ ଓଡ଼ିଶା ଶାସନର ଭାର ସମ୍ଭାଳିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ବିଜେପି ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ ମୋହନ ଚରଣ ମାଝୀଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି। ମୋହନ ଚରଣ ମାଝୀ ବିଜେପି ଟିକେଟରେ କେନ୍ଦୁଝର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ୮୭, ୮୧୫ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଥିଲେ।

ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ମୋହନଙ୍କ ନାଁ ଚୟନ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ୭୮ ଆସନ ଜିତି ବହୁମତ ହାସଲ କରିଛି। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ସହ ତୁଙ୍ଗ ନେତା ଉପସ୍ଥିତ ଥିଲେ। ମୋହନ କେନ୍ଦୁଝର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *