July 27, 2024

ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଏବେ ଠାରୁ ଲୋକଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଛି

1 min read

ଭୁବନେଶ୍ୱର: ସରକାର ବଦଳିଲେ। ପୂର୍ବ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଏବେ ଠାରୁ ଲୋକଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଛି। ଇତି ମଧ୍ୟରେ ଲକ୍ଷ୍ମୀ ବସ ଯୋଜନାରେ ପ୍ରତିଫଳନ ଦେଖିବାକୁ ମିଳିଛି। ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକେର। ଲକ୍ଷ୍ମୀ ବସ ଉପରେ ଲାଗିଥିବା ଶଙ୍ଖ ଚିହ୍ନ ଓ ଦୁଇ ମହିଳାଙ୍କ ଦ୍ବାରା ଶଙ୍ଖ ଫୁଙ୍କା ଷ୍ଟିକେରକୁ ମଧ୍ୟ ହଟାଯାଇଛି, ଯାହାକୁ ନେଇ ଦ୍ବନ୍ଦରେ ଅଂଚଳବାସୀ। କମ୍ ପଇସାରେ ଶୀତତାପ ନିୟନ୍ତ୍ରିତ ବସରେ ଲୋକେ କରୁଥିଲେ ଯାତ୍ରା।
ବିଶେଷକରି ମହିଳାମାନେ କମ୍ ଟଂକାରେ ଦୁର୍ଗମ ଅଂଚଳରୁ ସହରକୁ ଆସିପାରୁଥିଲେ। ଏହି ବସ ସେବା ଗାଁକୁ ଯୋଗାଯୋଗର ଏକ ବଡ଼ ମାଧ୍ୟମ ପାଲଟିଥିଲା, ଯାହାକୁ ନେଇ ଲୋକେ ଏବେ ଚିନ୍ତାରେ ପଡିଛନ୍ତି। ସରକାର ବଦଳିବାରୁ ଏହି ଲକ୍ଷ୍ମୀ ବସ ଆଗକୁ ବନ୍ଦ ହେବନି ତ ବୋଲି ଲୋକଙ୍କ ମନରେ ସଂଦେହ ସୃଷ୍ଟି ହେଉଛି। ଯାତ୍ରୀଙ୍କ ପରେ ବସର କର୍ମଚାରୀମାନେ ମଧ୍ୟରେ ଦ୍ବନ୍ଦରେ ପଡିଛନ୍ତି। ବସ ସେବା ବନ୍ଦ ହେଲେ ସେମାନେ ପୁଣି କଣ କରିବେ ବୋଲି ଚିନ୍ତାରେ ପଡିଛନ୍ତି। ବସ ସେବେ ଏକ ପ୍ରକାର କ୍ଷତିରେ ଚାଲୁଥିବାବେଳେ ସରକାର କ୍ଷତି ହେଉଥିବା ନେଇ ସେବା ବନ୍ଦ କରିଦେଲେ କର୍ମଚାରୀ ସମତେ ଯାତ୍ରୀ ହନ୍ତସନ୍ତ ହେବେ ବୋଲି କୁହାଯାଇଛି।

ଜିଲ୍ଲାର ସମସ୍ତ ଲକ୍ଷ୍ମୀ ବସରେ ଲାଗିଥିବା ଶଙ୍ଖ ଚିହ୍ନ ଓ ମହିଳାଙ୍କ ଶଙ୍ଖ ଫୁଙ୍କା ଷ୍ଟିକେରକୁ କାଢି ଦେବା ପରେ ଏହି ସଂଦେହ ଉପୁଜିଛି। ଲକ୍ଷ୍ମୀ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଏନେଇ ପଚାରିବାରୁ ସେମାନେ ଚିନ୍ତାରେ ଥିବା କହିଥିଲେ। ଲକ୍ଷ୍ମୀ ବସ ସେବା ଆରମ୍ଭ ହେବା ପରେ ସେମାନେ ଏକ ପ୍ରକାର ପରିବାର ପ୍ରତିପୋଷଣ ନେଇ ଚିନ୍ତାମୁକ୍ତ ଥିଲେ।କିନ୍ତୁ ଏହି ସେବା ଯଦି ନୂଆ ସରକାର ବନ୍ଦ କରନ୍ତି ତେବେ ଆମେ କଣ କରିବୁ ବୋଲି କ୍ଷୋଭର ପ୍ରକାଶ କରିଥିଲେ। ସେହିପରି ଆହାର କେନ୍ଦ୍ରକୁ ନେଇ ମଧ୍ୟ ଲୋକେ ଦ୍ବନ୍ଦରେ ପଡିଛନ୍ତି।ମାତ୍ର ୫ ଟଂକାରେ ପେଟପୁରା ଖାଦ୍ୟ ମିଳୁଥିବାରୁ ସରକାର ବଦଳିବା ପରେ ଏହା ମଧ୍ୟ ବନ୍ଦ ହେବନି ତ ବୋଲି ପ୍ରଶ୍ନ ଉଠିଛି। ବିଶେଷ କରି ଗରିବ ଲୋକେ ପ୍ରଭାବିତ ହେବେ।କେବଳ ଗରିବ ନୁହେଁ ସମସ୍ତ ବର୍ଗର ଲୋକେ ଏହି ଆହାର କେନ୍ଦ୍ରରେ ମାତ୍ର ୫ ଟଂକା ଦେଇ ଖାଧ୍ୟ ଖାଉଥିଲେ।ଦୁରଦୁରାନ୍ତରକୁ ଯାଉଥିବା ଯାତ୍ରୀ ମଧ୍ୟ ବସଷ୍ଟାଣ୍ଡରେ ଥିବା ଏହି ଆହାର କେନ୍ଦ୍ର ଉପରେ ନିର୍ଭର କରୁଥିଲେ।

କେବଳ ଲୋକମାନେ ହିଁ ହଇରାଣ ହେବେ ନାହିଁ, ବରଂ ଆହାର କେନ୍ଦ୍ରକୁ ଚଲାଉଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ମଧ୍ୟ ହଇରାଣ ହେବେ। ଆହାର କେନ୍ଦ୍ର ଚଲାଇ ମାସିକ କିଛି ପଇସା ରୋଜଗାର ହେଉଥିବା ବେଳେ ଏହା ବନ୍ଦ ହେଲେ ଏହି କେନ୍ଦ୍ର ଚଲାଉଥିବା ମହିଳାଙ୍କ ପରିବାରରେ ପୁଣି ସମସ୍ୟା ଦେଖା ଦେବ ବୋଲି ଆଲୋଚନା ଜୋର ଧରିଛି। ତେବେ ଆହାର କେନ୍ଦ୍ରକୁ ଚଲାଉଥିବା ଏସଏଚଜି ସଦସ୍ୟାମାନେ କ୍ଷୋଭର ସହ ପ୍ରକାଶ କରିଥିଲେ ଯେ ସରକାର ହଜାର ହଜାର ଲୋକଙ୍କ ପେଟ ମାରିବେ, ଯଦି ଏହାକୁ ବନ୍ଦ କରିବେ।ତେଣୁ ସରକାର ଏହା ବନ୍ଦ କରିବା ପୂର୍ବରୁ ବହୁ ଥର ଚିନ୍ତା କରନ୍ତୁ ବୋଲି ସଦସ୍ୟାମାନେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *