ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ପ୍ରଭାସିନୀ
1 min read
ଦଶରଥପୁର: ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛନ୍ତି ମୃତାଙ୍କ ବାପା ଭୀମସେନ ସାହୁ। ସେ କହିଛନ୍ତି, ତାଙ୍କ ଝିଅ (ଏସ୍ଆଇ ପ୍ରଭାସିନୀ ସାହୁ) ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିଲେ। କିନ୍ତୁ ଝିଅର ଶାଶୂ, ଶ୍ବଶୁର, ସ୍ବାମୀ ସମସ୍ତେ ଚାକିରି ନ ଛାଡ଼ିବା ଲାଗି ସବୁ ବେଳେ ଚାପ ପକାଉଥିଲେ। ଚାକିରି କଲେ ଘରକୁ ପଇସା ଆସିବ ବୋଲି କହୁଥିଲେ ସେମାନେ ବୋଲି ଆଜି ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଭାସିନୀ ସାହୁଙ୍କ ବାପା। ଝିଅକୁ ଶାରୀରିକ ଓ ମାନସିକ ଚାପ ଦେଉଥିବା ନେଇ ଶାଶୂଘର ଲୋକଙ୍କ ବିରୁଦ୍ଧରେ ଥାନାରେଅଭିଯୋଗ କରିଛନ୍ତି। ଏଣୁ ସେହି ଦିଗରେ ତଦନ୍ତ ହେବା ଦରକାର ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସରକାରୀ କ୍ବାର୍ଟର୍ସରୁ ଉଦ୍ଧାର ହୋଇଥିଲା ଝୁଲନ୍ତା ଶବ
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଏସ୍ଆଇ ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ଶବ ତାଙ୍କ ସରକାରୀ କ୍ବାର୍ଟର୍ସରୁ ଉଦ୍ଧାର ହୋଇଥିଲା। ୨ମାସର ଗର୍ଭବତୀ ଥିବା ପ୍ରଭାସିନୀଙ୍କ ଚରମ ନିଷ୍ପତ୍ତି ପଛରେ କାର୍ଯ୍ୟର ଚାପ, ମାନସିକ ଅବସାଦ ନା ଅନ୍ୟ କିଛି କାରଣ ରହିଛି, ସେନେଇ କିଛି ସ୍ପଷ୍ଟ ହୋଇପାରିନି। ତାଙ୍କ ଝିଅ ଆତ୍ମହତ୍ୟା କରିନି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ମୃତ ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ ଅଭିଯୋଗ କରିଥିଲେ।
ସେ ପୁରୁଷୋତ୍ତମପୁର ଥାନା ପରିସରରେ ଥିବା କ୍ବାର୍ଟର୍ସରେ ଏକୁଟିଆ ରହୁଥିବା ବେଳେ ରେଳବାଇରେ କାର୍ଯ୍ୟରତ ସ୍ବାମୀ ରାଉରକେଲାରେ ରହୁଛନ୍ତି। ପ୍ରଭାସିନୀ ଏହା ମଧ୍ୟରେ ବହୁ ମାମଲାର ଗୁରୁ ଦାୟିତ୍ବ ସମ୍ଭାଳି ଆସୁଥିଲେ। କିନ୍ତୁ ତାଙ୍କର ଏଭଳି ମୃତ୍ୟୁକୁ ସହକର୍ମୀମାନେ ବି ଗ୍ରହଣ କରିପାରୁ ନାହାନ୍ତି।


