December 3, 2024

ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ ମାମଲା

1 min read

ଭୁବନେଶ୍ବର: ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ ମାମଲା । ଅଭିଯୁକ୍ତ ସମୀର ମନସୁର ଗିରଫ। କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ର ମେଡିକାଲ ଚେକ୍ ଅପ୍ କରାଯାଇଛି। ଶୁକ୍ରବାର ପୀଡିତାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ ହୋଇଛି। ଏଥିସହ ପୁଲିସ୍ ଅଭିଯୁକ୍ତର ମୋବାଇଲ ଜବତ କରି ଫୋରେନସିକ୍ ଲ୍ୟାବକୁ ପଠାଇଛି। ଆଉ କିଛି ସମୟ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ। ସେପଟେ ଲଭ୍ ଜିହାଦର ଗୁମର କଥା ବଖାଣିଛି ଅଭିଯୁକ୍ତ ସମୀର ମନସୁର। ବିବାହ ପ୍ରଲୋଭନ ଦେଖାଇ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। ଇନଷ୍ଟାଗ୍ରାମରେ ଭିଡିଓ ମଧ୍ୟ ଭାଇରାଲ କରିଥିଲେ। ଭିଡିଓ ଡିଲିଟ୍ ପାଇଁ ପୁଲିସ୍ ଇନଷ୍ଟାଗ୍ରାମକୁ ଚିଠି ଲେଖିବା ନେଇ ସୂଚନା ମିଳିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଫ୍ରି ଫାୟାର୍‌ ଗେମ୍‌ ଖେଳୁଥିବାବେଳେ ୨୦୨୨ରେ ଅଭିଯୁକ୍ତ ସମୀର ସହ ତାଙ୍କର ସମ୍ପର୍କ ହୋଇଥିଲା। ସମୀର ନିଜ ତଥ୍ୟ ଗୋପନ ରଖି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲା। ଘଣ୍ଟା ଘଣ୍ଟା ଧରି ଭିଡିଓ କଲ୍‌ରେ ତାଙ୍କ ସହ ଭାବ ଦିଆନିଆ କରୁଥିଲା। ତାଙ୍କ ସହ ମିଶିବା ପାଇଁ ଏକାଧିକ ଥର ଓଡ଼ିଶା ଆସିଥିଲା। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ତାର ଘର ବିହାରରେ ଏବଂ ସେ କାଶ୍ମୀରରେ ଚାକିରି କରୁଥିବା କହିଥିଲା। ଶେଷ ଥର ପାଇଁ ସେ ଗତ ମାର୍ଚ୍ଚରେ ଓଡ଼ିଶା ଆସିଥିଲା। ଉଭୟ ପୁରୀରେ ଏକ ହୋଟେଲ୍‌ରେ ‌ରହିଥିଲେ। ଏହି ସମୟରେ ସମୀରର ପ୍ରକୃତ ନାଁ ସମୀର ମନସୁର ବୋଲି ପୀଡ଼ିତା ଜାଣିବାକୁ ପାଇଥିଲେ। ସେ ଅନ୍ୟ ସମ୍ପ୍ରଦାୟର ବୋଲି ଜାଣିବା ପରେ ତା’ଠାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରିଥିଲେ; ହେଲେ ସମୀର ତାଙ୍କୁ ହୋଟେଲ୍‌ କୋଠରିରୁ ବାହାରକୁ ଛାଡ଼ି ନଥିଲା। ବଳପୂର୍ବକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏମିତିକି ତାଙ୍କୁ ଧମକ ଚମକ ଦେଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା। ପ୍ରତିବାଦ କରିବାରୁ ତାଙ୍କୁ ଛୁରି ଦେଖାଇ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା। କୌଶଳକ୍ରମେ ପୀଡ଼ିତା ହୋଟେଲ୍‌ରୁ ପଳାଇ ଆସିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ସମୀର ଫୋନ୍‌ କରି ତାଙ୍କୁ ବିବାହ କରିବାକୁ ଅଡ଼ିବସିଥିଲା। ପୀଡ଼ିତା ରାଜି ନହେବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍‌ କରି ଦେଇଥିଲା। ଏଥିସହ ଯୁବତୀଙ୍କ ବାପାଙ୍କ ପାଖକୁ ଭିଡିଓ ପଠାଇ ବିବାହ ପାଇଁ କହିଥିଲା। ବିବାହ ନକଲେ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲା। ଏହା ପରେ ପୀଡ଼ିତାଙ୍କ ପରିବାର ଚିନ୍ତାରେ ପଡ଼ିଯିବା ସହ ଘଟଣା ସମ୍ପର୍କରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସମୀରକୁ ଧରିବା ଲାଗି ପୁଲିସ ଜାଲ ବିଛାଇ ଥିଲା। ଯୋଜନା ମୁତାବକ ବିବାହ କରିବେ ବୋଲି କହି ପୀଡ଼ିତା ତାକୁ ଡକାଇଥିଲେ। ଏଥିରେ ସମୀର ଫସି ଯାଇଥିଲା। ପ୍ରେମିକାଙ୍କୁ ବିବାହ ପାଇଁ କାଶ୍ମୀର ନେବା ଲାଗି ସମୀର ଓଡ଼ିଶା ଆସିଥିଲା। ସେ କଟକ ଷ୍ଟେସନ୍‌ ନିକଟରେ ପହଞ୍ଚିବା‌‌ବେଳେ ଛକିଥିବା ପୁଲିସ ତାକୁ କାବୁ କରିଥିଲା।