December 4, 2024

ଧବଳେଶ୍ୱର ପୀଠରେ ବୁଧବାର ଦିନ ପାଳନ ହେଉଛି ବଡ଼ଓଷା ପର୍ବ

1 min read

ଆଠଗଡ଼: ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱର ପୀଠରେ ବୁଧବାର ଦିନ ପାଳନ ହେଉଛି ବଡ଼ଓଷା ପର୍ବ। ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ଏହି ଅବସରରେ ମହାଦେବଙ୍କ ନିକଟରେ ଲାଗି ହୁଏ ସ୍ୱତନ୍ତ୍ର ଗଜପିଠା। ରାତି ୩ଟାରୁ ମନ୍ଦିରର ପହଡ଼ ଖୋଲାଯାଇ ବାବା ଧବଳେଶ୍ୱରଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା। ପରେ ଘିଅରେ ବାବାଙ୍କର ଅଭିଷେକ କରାଯାଇଥିଲା। ବାଳ ଭୋଗ ଏବଂ ଖେଚୁଡ଼ି ଭୋଗ ଲାଗି ହେବା ପରେ ବଡ଼ସିଂହାର ବେଶରେ ଦର୍ଶନ ଦେଇଥିଲେ ବାବା ଧବଳେଶ୍ୱର।

ଧବଳେଶ୍ୱର ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବଡ଼ଓଷା ଅବସରରେ ବାବା ଧବଳେଶ୍ୱରଙ୍କ ନିକଟରେ ରାତିରେ ଗଜଭୋଗ ଓ ତରଣ ଲାଗିହେବ। ବଡ଼ଓସା ବ୍ରତଧାରୀ ପ୍ରଭୁଙ୍କ ଗଜଭୋଗ ସେବନ କରି ବ୍ରତ ଭାଙ୍ଗିବେ। ବଡ଼ଓଷା ବ୍ରତ ପାଳନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।