February 12, 2026

ବିବାହର ୨ବର୍ଷ ପରେ ଶିଶୁକନ୍ୟାର ମାତାପିତା ହେଲେ କିଆରା-ସିଦ୍ଧାର୍ଥ

1 min read

ମୁମ୍ବାଇ: ବଲିଉଡରୁ ଆସିଲା ଖୁସିର ଖବର। ମାତାପିତା ହେଲେ ଲୋକପ୍ରିୟ ଦମ୍ପତି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା। ଗତକାଲି ଏହି ଦମ୍ପତି ଏକ ଶିଶୁ କନ୍ୟାକୁ ଏ ଦୁନିଆକୁ ସ୍ୱାଗତ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଏବଂ ଅନେକ ସେଲିବ୍ରିଟି କିଆରା ଏବଂ ସିଦ୍ଧାର୍ଥଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।

ଏହି ଦୁଇ କଳାକାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶିଶୁକନ୍ୟାର ମାତାପିତା ହୋଇଥିବା ଜଣାଇଛନ୍ତି। ପୋଷ୍ଟର ‌କ୍ୟାପସନରେ ଲେଖାଯାଇଛି ଯେ, “ଆମର ହୃଦୟ ଆଜି ଖୁସିରେ ଭରିଯାଇଛି। ଆମର ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଛି। ଆମେ ଏକ ଶିଶୁକନ୍ୟାର ମାତାପିତା ହୋଇଛୁ। କିଆରା ଏବଂ ସିଦ୍ଧାର୍ଥ।”

ଉଲ୍ଲେଖଯୋଗ୍ୟ, କିଆରା ଏବଂ ସିଦ୍ଧାର୍ଥଙ୍କର ଦେଖା ୨୦୨୧ ମସିହାରେ ନିର୍ମିତ ଫିଲ୍ମ “ଶେରଶାହ”ର ସୁଟିଂ ସେଟରେ ହୋଇଥିଲା। ଏହି ଫିଲ୍ମ‌ରେ ସିଦ୍ଧାର୍ଥ, ପରମ ବୀର ଚକ୍ର ପାଇଥିବା ସ୍ୱର୍ଗତଃ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହା ସହ କିଆରା ତାଙ୍କ ପ୍ରେମିକା ଡିମ୍ପଲ ଚିମାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ଏବଂ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ଏହା ପରେ ୨୦୨୩ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଚଳିତ ବର୍ଷ ଫେବ୍ରୁଆରିରେ ଦୁହେଁ ମାତାପିତା ହେବାକୁ ଯାଉଥିବା ବିଷୟରେ ଏକ ପୋଷ୍ଟ କରି ଜଣାଇଥିଲେ।