July 26, 2024

କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

1 min read

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥର ବିଜେପି ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଏନେଇ ବିଜେପି ବିଧାୟକ ଦଳ ବୈଠକରେ ଘୋଷଣା ହୋଇଛି।

ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟକ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦୁଇ ଦୁଇ ଜଣ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିଜେପି ସରକାର ନୂଆ ରେକର୍ଡ କରିବାକୁ ଯାଉଛନ୍ତି।

ପାଟଣାଗଡ଼ ବିଧାନସଭା ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କନକ ବର୍ଦ୍ଧନ ସିଂହଦେଓ। ସେ ପୂର୍ବରୁ ବିଜେପିର ରାଜ୍ୟ ସଭାପତି ରହିଥିଲେ। ଏହାସହ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ମନ୍ତ୍ରୀ ମଧ୍ୟ ରହିଥିଲେ। ରାଜନୀତି କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ତେଣୁ ପଶ୍ଚିମ ଓଡ଼ିଶାର ଏହି ବରିଷ୍ଠ ନେତାଙ୍କୁ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି।

ସେହିପରି ନିମାପଡ଼ା ଆସନରୁ ଏଥର ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଭାତି ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ବିଜେପି ମହିଳାଙ୍କୁ ଅଗ୍ରାଧିକାର ଦେଇଥିବା ସ୍ପଷ୍ଟ କରିଛି। ପ୍ରଭାତି ପୂର୍ବରୁ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ।୨୦୦୯ରେ ପ୍ରଭାତି ପ୍ରଥମ ଥର ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୧୪ ଓ ୨୦୧୯ରେ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ୨୦୨୪ରେ ସେ ବିଜୟୀ ହୋଇଛନ୍ତି।

ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସରକାର ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ବସନ୍ତ ବିଶ୍ୱାଳ ରହିଥିଲେ। ତାଙ୍କ ପରେ ଆଉ କେହି ଉପମୁଖ୍ୟମନ୍ତ୍ରୀ ରହି ନାହାନ୍ତି। ନୂଆ ସରକାରରେ ପୁଣିଥରେ ଓଡ଼ିଶା ଦୁଇ ଦୁଇଟି ଉପମୁଖ୍ୟମନ୍ତ୍ରୀ ପଦ ପାଇଛି।

Leave a Reply

Your email address will not be published. Required fields are marked *