July 27, 2024

ଘୃଣା ଓ ଭେଦଭାବ ଦୂର କରିବା ଆମର ସାମୁହିକ ଦାୟିତ୍ୱ : ଶାଲିନୀ ପଣ୍ଡିତ

1 min read

ଭୁବନେଶ୍ୱର : “ଗୋଷ୍ଠି ସମୂହକୁ ନେତୃତ୍ୱ ଦିଅ” ବିଷୟକୁ ନେଇ ପ୍ରତିବର୍ଷ ପରି ଚଳିତ ବର୍ଷ ଓଡ଼ିଶା ରାଜ୍ୟ ଏଡସ୍‌ ସମିତି (ଓସାକ୍ସ) ଦ୍ୱାରା ରାଜ୍ୟସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳନ ହୋଇଯାଇଛି I ରାଜ୍ୟସ୍ତରୀୟ ଏହି ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏଚ.ଆଇ.ଭି ସହ ଯୋଡି ହୋଇ ରହିଥିବା ଘୃଣା, ଭେଦଭାବକୁ ଦୂର କରିବା ଆମର ସାମୁହିକ ଦାୟିତ୍ୱ ଏବଂ ଏଥିପାଇଁ ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା । ସେ କହିଥିଲେ ଯେ ଓସାକ୍ସ ବିଶ୍ୱ ଏଡସ ଦିବସ ପାଳନ କଲାବେଳେ ବହୁ ହିତାଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକାଠି କରିପାରିଛି । ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସମାଜରେ ଥିବା ଅସମାନତାକୁ ଦୂର କରିପାରିଲେ ସମସ୍ତେ ବିନା ଦ୍ୱିଧାରେ ନିଜର ସ୍ଥିତି ଜାଣିପାରିବେ ଏବଂ ଏଡସ୍ ସଂକ୍ରମଣକୁ ଆମେ ଦୂର କରିପାରିବା । ମୋର ଚିକିତ୍ସକ ବନ୍ଧୁମାନେ ସାଧାରଣ ଜନତାଙ୍କୁ ସଠିକ ତଥ୍ୟର ଉପସ୍ଥାପନର ପ୍ରବକ୍ତା ହେବାକୁ ଆହ୍ୱାନ ଦେଇଥିଲେ ।
ଶ୍ରୀମତୀ ପଣ୍ଡିତ କହିଥିଲେ ଯେ ଆମେ ଏଡସ ଦିବସ ପାଳନ କରୁଛେ, ଆମର କାର୍ଯ୍ୟ ଆମର ବାକ୍ୟଠାରୁ ଆହୁରୀ ଶକ୍ତିଶାଳୀ ହେବା ଉଚିତ । ଆମେ ଏମିତି ଏକ ସମାଜ ପାଇଁ ପ୍ରତିଶୃତିବଦ୍ଧ ହେବା ଉଚିତ ଯାହା ସମସ୍ତଙ୍କୁ ନେଇ ପରସ୍ପର ସହ ମୁକ୍ତ ଭାବ ବିନିମୟ କରିବା ସହ ପରସ୍ପରକୁ ସହଯୋଗ କରିବା ଉଚିତ୍ । ଏହି ଅବସରରେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଉର୍ମିଳା ମିଶ୍ର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ବର୍ତମାନର ସ୍ଥିତି ବିଷୟରେ ଅବଗତ କରାଇଥିଲେ । ସମାରୋହରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା, ଏବଂ ଅନ୍ୟ ନିର୍ଦ୍ଦେଶକ ବୃନ୍ଦ, ଓସାକ୍ସର ସମସ୍ତ ଅଧିକାରୀ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ । ସମସ୍ତ ଜିଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଏଚ.ଆଇ.ଭି ନୋଡାଲ ଅଧିକାରୀମାନେ ଆଭାଷୀ ମାଧ୍ୟମରେ ଯୋଗଦାନ କରିଥିଲେ ।
ଏହି ଅବସରରେ ଓସାକ୍ସର ନ୍ୟୁଜଲେଟର ଉନ୍ମୋଚିତ ହୋଇଥିଲା । ଜିଲା ଏବଂ ରାଜ୍ୟସ୍ତରରେ ୟୁଥ ଫେଷ୍ଟ ଅଧିନରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି । ସେହିଭଳି ଜାତୀୟ ଏଡସ ହେଲ୍ପଲାଇନ ୧୦୯୭ ନମ୍ବରରେ ଉତର- ପୂର୍ବାଂଚଳ ଜୋନରେ ପୂର୍ବଭଳି ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ନାକୋ ଜାରି କରିଥିବା ରିପୋର୍ଟ ଅନୁସାରେ ସର୍ବାଧିକ ଫୋନ ଗଂଜାମ ଜିଲାରୁ ଯାଥଇବା ଜଣାପଡିଛି । ସେହିଭଳି ସଚେତନତା କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ଏହି ମାଧ୍ୟମରେ ସର୍ବାଧିକ ସଚେତନତା ପାଇଁ ଗଂଜାମ ଜିଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ଗଂଜାମ ଜିଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତିି ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଯୋଗଦେଇଥିଲା ବେଳେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ (ଏମଏସ) ଡ. ଅଜିତ ମହାନ୍ତି ଯୋଗଦେଇଥିଲେ । ଅତିଥି ମାନେ କହିଥିଲେ ଯେ ସାରା ଦେଶରେ, ଓଡ଼ିଶା ଅତ୍ୟଧିକ ଆଶଙ୍କା ପ୍ରବଣ ରାଜ୍ୟ ଭାବେ ପରିଗଣିତ ହେଉନଥିଲେ ସୁଦ୍ଧା ଏଚ.ଆଇ.ଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଆମ ରାଜ୍ୟରେ ସଂକ୍ରମିତ ବ୍ୟକ୍ତିମାନେ ବିଶେଷକରି ଗରିବ ଶ୍ରେଣୀର । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର ଏହି ସଂକ୍ରମଣର ଶିକାର ହୋଇଥାଆନ୍ତି । ଓସାକ୍ସର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ବିନା ମୂଲ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଏବଂ ଘୃଣା ଭେଦଭାବ ବିହୀନ ସହାୟତା ସହଯୋଗ ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି ବୋଲି ସେମାନେ କହିଥିଲେ ।
ଏହି ଅବସରରେ ଓସାକଠାରେ ଦୁଇଟି ଆଇସି ପ୍ରଚାର ଭ୍ୟାନକୁ ସ୍ୱତନ୍ତ୍ର ସଚିବ ଡ. ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ସାହୁ ଶୁଭାରମ୍ଭ କରିଥିଲାବେଳେ ରାଜ୍ୟର ବିଭିନ୍ନ ଜିଲାରୁ ଆଜିଠାରୁ ସଚେତନାଧର୍ମୀ ଆଇସି ପ୍ରଚାର ଭ୍ୟାନର ଆରମ୍ଭ କରାଯାଇଛି । ଯାହା ଆଗାମୀ ସାତ ଦିନ ଧରି ଏଚ.ଆଇ.ଭି. ଓ ଏଡସ୍ ସଚେତନତା କାର୍ଯ୍ୟ କରିବ ।
ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଅଂଜନା ପଣ୍ଡା, ବିତ ପରାମର୍ଶଦାତ୍ରୀ ରଂଜିତା ବେହେରା, ପ୍ରୋକ୍ୟୋରମେଂଟ ଅଧିକାରୀ ବରେନ୍ଦ୍ର ନାଥ ବେଜ ଓ ପ୍ରତିଷ୍ଠାନ ଅଧିକାରୀ ଶୁଭେନ୍ଦୁ ପଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଡ. ଡି.ଏସ. ଅରବିନ୍ଦ ଏବଂ ଓସାକ୍ସର ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *