May 19, 2025

ନୂଆଦିଲ୍ଲୀରେ ଇନଭେଷ୍ଟ ଓଡ଼ିଶା ସମ୍ମିଳନୀ

1 min read

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡ଼ିଶା ସମ୍ମିଳନୀରେ ଯୋଗଦେଇ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସମ୍ମିଳନୀରେ ଏକାଧିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦିଲ୍ଲୀରେ ଏହି ଗସ୍ତ ସମୟରେ ରାଜ୍ୟ ସରକାର ୧୩ଟି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏହାସହିତ ୧୫ଟି ଇନ୍‌ଭେଷ୍ଟ୍‌ମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ଆସିଛି। ଏହା ଦ୍ୱାରା ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ୯୫ ହଜାର ୧୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

“ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ପରେ ନୂଆଦିଲ୍ଲୀରେ ଇନଭେଷ୍ଟ ଓଡିଶା ସମ୍ମିଳନୀ ଏକ ଐତିହାସିକ ପଦକ୍ଷେପ। ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ଓଡିଶାକୁ ନେଇ ଖୁବ୍‍ ଆଗ୍ରହୀ ଅଛନ୍ତି। ଓଡ଼ିଶାକୁ ବ୍ୟାପକ ପୁଞ୍ଜି ଆସିବାର ସୁଯୋଗ ସୃଷ୍ଟି ହୋଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ଇଣ୍ଡିଆନ ଅଏଲ୍ କର୍ପୋରେସନ (ଆଇଓସିଏଲ୍) ପକ୍ଷରୁ ଓଡ଼ିଶାରେ ୫୮ ହଜାର ୪୨କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ୨୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସେହିପରି ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ୍ ଲିମିଟେଡ୍ ଏବଂ ପେଟ୍ରୋନେଟ୍ ଏଲଏନଜି ସହ ନିବେଶ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଓଡ଼ିଶାକୁ ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମାର୍ଗ ପ୍ରସ୍ତୁତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।