April 21, 2025

ଟାଟାଷ୍ଟିଲ ସ୍ପଞ୍ଜ ଆଇରନ ମୁଖ୍ୟ ଦ୍ୱାରରେ ୫ଟି ପଞ୍ଚାୟତର ଲୋକଙ୍କ ଦ୍ଵାରା ତୀବ୍ର ଆନ୍ଦୋଳନ

1 min read

ଯୋଡା,୨୪/୧(ନିପ୍ର) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବିଲେଇପଦା ସ୍ଥିତ ଟାଟାଷ୍ଟିଲ ସ୍ପଞ୍ଜ ଆଇରନ ପ୍ଲାଣ୍ଟ ଆଗରେ ୫ଟି ପଞ୍ଚାୟତର ଲୋକେ ୧୬ଟି ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । ୨୮ ନଂ ଜୋନ୍ ଅଧୀନ ୫ଟି ପଞ୍ଚାୟତ ବିରିକଳା, କଣ୍ଡରା, ଚମକପୁର, ଦେଓଝର, ଅଂସେଇକଳା ପଞ୍ଚାୟତର ଜନପ୍ରତିନିଧି ଓ ସ୍ଥାନୀୟ ଗ୍ରାମବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଶୁକ୍ରବାର ମଧ୍ୟାହ୍ନ ସମୟରେ ଶତାଧିକ ମହିଳା ଓ ପୁରୁଷ ବିଲେଇପଦା ଛକରେ ଏକତ୍ର ହୋଇ ଏକ ରାଲିରେ ଆସି କମ୍ପାନୀ ଫାଟକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ମାଗଣା ସ୍ବାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା ଶିକ୍ଷା ପାଇଁ ମାଗଣା ବସ୍ ସେବା ଛାତ୍ରୀଛାତ୍ରଙ୍କୁ ବୃତ୍ତି ଯୋଗେଇ ଦେବା, ପାରିପାର୍ଶ୍ଵିକ ଉନ୍ନୟନ ପ୍ରଭୃତି ଦାବି ରହିଛି । କମ୍ପାନୀ ସବୁ କ୍ଷେତ୍ରରେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଅଣଦେଖା କରିଆସୁଛି ।

ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନଦେଇ ବାହାର ପ୍ରଦେଶର ଲୋକଙ୍କୁ ନିଯୁକ୍ତି ଦେଉଛି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଆସୁଛି । ବାରମ୍ବାର ଅଭିଯୋଗ ଏବଂ ଦାବି ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାରୁ ବାଧ୍ୟ ହୋଇ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇଥିବା ଜିଲ୍ଲା ପରିଷଦ ସଭ୍ୟ ଡମ୍ବରୁଧର କୁଦାଦା,ଚମକପୁର ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଅର୍ଜ୍ଜୁନ ବେହେରା, ଅଂଶେଇକଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଭାରତୀ ମୁଣ୍ଡା , ଯୋଡା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ନାଏକ ପ୍ରମୁଖ କହିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରଖିବ ବୋଲି ସେମାନେ ସୂଚନା ଦେଇଛନ୍ତି । ୧୬ ଟି ବିଭିନ୍ନ ଦାବି ଗୁଡ଼ିକ ହେଲା ୫ଟି ପଞ୍ଚାୟତ ରେଶିକ୍ଷିତ ବେକାର ଯୁବତୀ ଯୁବକ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ, ଜମିହରା ପରିବାରଙ୍କୁ ନିଯୁକ୍ତି ପ୍ରଦାନ,ସ୍ଥାନୀୟ ଲୋକ ପ୍ରତିନିଧି ତଥା ସ୍ଥାନୀୟ ଲୋକେ ବାହାର ରାଜ୍ୟର ଯୁବତୀ ଯୁବକଙ୍କୁ ଦିଆ ଯାଉଥିବା ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରିବା ସତ୍ତ୍ୱେ କମ୍ପାନୀ ଗୁପ୍ତ ଭାବେ ନିକଟ ଅତୀତରେ ୯ ଜଣଙ୍କୁ ନିଯୁକ୍ତି ଦେଇଥିବାରୁ ଏହାକୁ ବନ୍ଦ କରି ସ୍ଥାନୀୟ ଯୁବତୀ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା କମ୍ପାନୀର ଖଣି ଖାଦାନ ଓ କାରଖାନାରେ ଚାଲୁଥିବା

ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ପ୍ରତି ଗ୍ରାମବାସୀଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦେବା ସହିତ ଯୋଡା ସ୍ଥିତ ଡାକ୍ତରଖାନା ଓ ଟି ଏମ ଏଚ ଡାକ୍ତରଖାନାରେ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତି ଗ୍ରାମକୁ ଆମ୍ବୁଲାନ ସେବା,ଉଚ୍ଚ ଗୁଣାତ୍ମକ ମାନର ଶିକ୍ଷା ପାଇଁ ସ୍କୁଲ ବସ ସେବା ପ୍ରଦାନ କରିବା ବୈଷୟିକ ଶିକ୍ଷା ଓ ଆଇ ଟି ଆଇ ସ୍ଥାପନ କରି ତାଲିମ ପ୍ରଦାନ କରିବା, ୫ଟି ପଞ୍ଚାୟତ ର ପ୍ରତି ଗ୍ରାମକୁ ସାମାଜିକ ଦୟୀତ୍ୱବୋଧ ,ନିୟମ ମୁତାବକ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ କରିବା,ସ୍ଥାନୀୟ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ କମ୍ପାନୀ ର ସ୍ପଞ୍ଜ, ଆଇରନ, ଚାର୍କୋଲ ପ୍ରଭୃତିର ପରିବହନ କାର୍ଯ୍ୟ ପ୍ରଦାନ କରି ଲୋକଙ୍କୁ ଆତ୍ମ ନିର୍ଭରଶିଳ କରାଇବା , ଟାଟା ଷ୍ଟିଲ ଖଣ୍ଡ ବନ୍ଧ ଖଣିରୁ ବିଲେଇପଦା ଖଣିଜ ପରିବହନ ପ୍ରଦାନ କରିବା,ରେଳ ରେ ଆଇରନ ଓର ଲୋଡ଼ିଙ୍ଗ ,ଅନ ଲୋଡ଼ିଂ ,ଲେବ୍ଲିଂ ଓ ପେକିଂ କାର୍ଯ୍ୟ କୁ ସ୍ଥାନୀୟ ବାସିନ୍ଦା ଙ୍କୁ ପ୍ରଦାନ କରିବା,କଣ୍ଟେନର ଯୋଗେ କଞ୍ଚାମାଲ ପରିବହନ ନିମନ୍ତେ ବ୍ୟବହାର ହେଉଥିବା ଟ୍ରୋଲର କିମ୍ବା ଦଶ ଚକିଆ ଯାନକୁ ଗ୍ରାମବାସୀଙ୍କୁ ପ୍ରଦାନ ନିମନ୍ତେ ସୁଯୋଗ ଦେବା,କମ୍ପାନୀ ର ଅଭ୍ୟନ୍ତର ପରିସର ରେ ହେଉଥିବା ଆଇରନ,କୋଇଲା, ଡଲୋମାଇଟ, ହାପର ଲୋଡିଙ୍ଗ ଓ ରୋ ମେଟେ ଟେରିଆଲ ଫିଡ଼ିଂ ପ୍ରଭୃତି କାର୍ଯ୍ୟ କୁ ଗ୍ରାମବାସୀଙ୍କୁ ପ୍ରଦାନ କରିବା,ଗରିବ ଶ୍ରେଣୀ ର ଛାତ୍ରୀଛାତ୍ରଙ୍କ ପାଠପଢା ପାଇଁ ପୂର୍ବରୁ ବିଦ୍ୟାଶକ୍ତି ନ୍ୟାସ ତରଫରୁ ପ୍ରଦାନ କରାଯାଉ ଥିବା ଛାତ୍ର ବୃତ୍ତିକୁ ପୁନରାବୃତ୍ତି କରାଯିବା ପ୍ରଭୃତି ଦାବି ନେଇ ଲିଖିତ ଭାବେ କମ୍ପାନୀ କତୃପକ୍ଷଙ୍କୁ ଜଣାଇ ଥିଲେ । ସାତ ଦିନ ମଧ୍ୟରେ ଏହି ଦାବି ଗୁଡ଼ିକର ସମାଧାନ ନ ହେଲେ ଧାରଣା ଦେବାର ଚେତାବନି ଦିଅ ହୋଇଛି । ତେବେ କମ୍ପାନୀ ଏହାକୁ ଅଣଦେଖା କରିବାରୁ ଶୁକ୍ରବାର ଠାରୁ ପଞ୍ଚାୟତ ବାସୀ ଧାରଣା ଦେଇଥିବା କହିଛନ୍ତି । ଏ ନେଇ କମ୍ପାନୀ ଅଧିକାରୀ ଆର୍ ସୋମନାଥ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ।