December 4, 2024

ଶନିବାରଠାରୁ ଲଗାତାର ତିନିଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଯାଞ୍ଚ

1 min read

ପୁରୀ: ଶନିବାରଠାରୁ ଲଗାତାର ତିନିଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ପୁନଃ ଯାଞ୍ଚ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିନେଇ ସୂଚନା ଦିଆଯାଇଛି। ଭିତର ଏବଂ ବାହାର ରତ୍ନଭଣ୍ଡାର କାନ୍ଥ କିମ୍ବା ଚଟାଣ ନିକଟରେ କୌଣସି ଗୁପ୍ତ କୋଠରି ରହିଛି କି ନାହିଁ ତନ୍ନତନ୍ନ କରି ଯାଞ୍ଚ କରିବେ ବିଶେଷଜ୍ଞ। ଏଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରାଯିବ।

ରାଡାର ସର୍ବେକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିପାଇଁ ୧୭ଜଣିଆ କମିଟି ଗଠନ କରାଯାଇଛି। ସେଥିରେ କେନ୍ଦ୍ର ସରକାରଙ୍କ ଦୁଇଟି ବୈଷୟିକ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକଙ୍କୁ ସାମିଲ କରାଯାଇଛି। ହାଇଦରାବାଦସ୍ଥିତ ଏନ୍‌ଜିଆର୍‌ଆଇ ସଂସ୍ଥାର ତିନିଜଣ ବିଶେଷଜ୍ଞ ଶୁକ୍ରବାର ​େରଡାର ସହ ପୁରୀରେ ଆସି ପହଞ୍ଚିଛନ୍ତି। ଦିନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତିନିଦିନ ଧରି ଯାଞ୍ଚ ପ୍ରକ୍ରିୟା କରାଯିବ। ତାହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ନିତିକାନ୍ତି ସଅଳ କରାଯିବ। ଦିନ ଗୋଟାଏଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଗାମୀ ୨୪ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶାରଦୀୟ ଦୂର୍ଗାପୂଜା ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଶ୍ରୀଜୀଉଙ୍କ କେତେକ ବିଶେଷ ନିତିକାନ୍ତି ରହିଛି। ତେଣୁ ଏହାପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ ଶେଷ କରାଯିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଚିଠିକୁ ଭିତ୍ତିକରି ଶନିବାର ପୁଣି ରତ୍ନଭଣ୍ଡାର ଖୋଲାଯିବା ସହ ଅତ୍ୟାଧୁନିକ ପ୍ରଣାଳୀରେ ଯାଞ୍ଚ କରାଯିବ। ଏଏସଆଇ ଅତିରିକ୍ତ ମହାନିର୍ଦେଶକ ଜାହ୍ନବୀ ଶର୍ମା ଏହି ବୈଷୟିକ କମିଟିର ନେତୃତ୍ୱ ନେବେ। ଏହାଛଡ଼ା ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ଏବଂ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଉପସ୍ଥିତ ରହିବେ। ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଅନୁମୋଦନ କରିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ଶେଷ ହେବା ପରେ ମରାମତି ଓ ସଂରକ୍ଷଣ କରାଯିବ। କବାଟଗୁଡ଼ିକୁ ସୁନା ଛାଉଣୀ କରାଯିବା ପ୍ରସ୍ତାବ ରହିଛି।

ଏସବୁ ପ୍ରକ୍ରିୟା ପରେ ମହାପ୍ରଭୁଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାରଗୁଡ଼ିକର ଗଣତିମଣତି, ମାନ ନିର୍ଦ୍ଧାରଣ ଏବଂ ମୂଲ୍ୟାଙ୍କନ କରାଯିବ। ଗତ ୧୮ ତାରିଖ ଦିନ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କରାଯାଇଥିଲା। ପ୍ରାୟ ତିନିଘଣ୍ଟା ଧରି ଚଟାଣ, କାନ୍ଥ ଏବଂ ଛାତର ଲେଜର ସ୍କାନିଂ କରାଯାଇଥିଲା। ସେଥିରୁ ଗୁପ୍ତ କୋଠରି କିମ୍ବା ସୁଡ଼ଙ୍ଗ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେଣୁ ରାଡାର ମାଧ୍ୟମରେ ଆଉଥରେ ଯାଞ୍ଚ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିତର ରତ୍ନଭଣ୍ଡାର ନିକଟରେ ଆଉ ଏକ ଗୁପ୍ତ ରତ୍ନଭଣ୍ଡାର ରହିଥିବା କେତେକ ବରିଷ୍ଠ ସେବକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଦାବି କରିଆସୁଛନ୍ତି। ତେଣୁ ଏହାର ସତ୍ୟତା ଯାଞ୍ଚ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଉଛି।

Leave a Reply

Your email address will not be published. Required fields are marked *