ନୂଆ ଗ୍ରହ ଆବିଷ୍କାର କଲେ ଭାରତୀୟ ବୈଜ୍ଞାନିକ ପୃଥିବୀଠାରୁ ପାଞ୍ଚ ଗୁଣ ବଡ଼
1 min readନୂଆଦିଲ୍ଲୀ: ଭାରତର ଭୌତିକ ଗବେଷଣା ପରୀକ୍ଷାଗାର (ପିଆର୍ଏଲ୍)ର ଗବେଷକମାନେ ଏକ୍ସୋପ୍ଲାନେଟ୍ (ବହିର୍ଗ୍ରହ) ବିଜ୍ଞାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆବିଷ୍କାର ଘୋଷଣା କରିଛନ୍ତି। ଅତ୍ୟାଧୁନିକ ପାରସ୍-୨ ସ୍ପେକ୍ଟ୍ରୋଗ୍ରାଫ୍ ବ୍ୟବହାର କରି ବୈଜ୍ଞାନିକମାନେ ସୂର୍ଯ୍ୟ ଭଳି ନକ୍ଷତ୍ରକୁ ପରିକ୍ରମା କରୁଥିବା ଏକ ଘନ ଓ ଶନି ଆକାରର ବହିର୍ଗ୍ରହ ଟିଓଆଇ-୬୬୫୧ବିକୁ ଚିହ୍ନଟ କରିଛନ୍ତି। ପିଆର୍ଏଲ୍ ବୈଜ୍ଞାନିକଙ୍କ ଦ୍ୱାରା ଏହା ଚତୁର୍ଥ ଏକ୍ସୋପ୍ଲାନେଟ୍ ଆବିଷ୍କାର, ଯାହା ବିଶ୍ୱ ମହାକାଶ ଅନୁସନ୍ଧାନରେ ଭାରତର ବଢୁଥିବା ଅବଦାନକୁ ଦର୍ଶାଉଛି। ଟିଓଆଇ-୬୬୫୧ବି ହେଉଛି ଏକ ଅନନ୍ୟ ଏକ୍ସୋପ୍ଲାନେଟ୍, ଯାହାର ଓଜନ ପୃଥିବୀର ବସ୍ତୁତ୍ୱଠାରୁ ପ୍ରାୟ ୬୦ ଗୁଣ ବଡ଼ ଓ ଏହାର ବ୍ୟାସାର୍ଦ୍ଧ ପୃଥିବୀଠାରୁ ପାଖାପାଖି ପାଞ୍ଚ ଗୁଣ ବଡ଼। ଜ୍ୟୋତିର୍ବିଜ୍ଞାନୀମାନେ ଯାହାକୁ ‘ନେପଚ୍ୟୁନିଆନ୍ ମରୁଭୂମି’ ବୋଲି କୁହନ୍ତି ତାହାର କଡ଼ରେ ଅବସ୍ଥିତ ଏହି ଅଞ୍ଚଳରେ ଏତେବଡ଼ ଆକାରର ଗ୍ରହ ଖୁବ୍ କମ୍ ଦେଖିବାକୁ ମିଳେ। ଟିଓଆଇ-୬୬୫୧ବିର ଆବିଷ୍କାର ଗ୍ରହ ଗଠନ ଓ ବିବର୍ତ୍ତନ ଉପରେ ନୂତନ ଆଲୋକପାତ କରେ। ଏହି ଦୂର ଗ୍ରହଟି ସୂର୍ଯ୍ୟ ଭଳି ତାରା ଟିଓଆଇ-୬୬୫୧କୁ ୫.୦୬ ଦିନରେ ପରିକ୍ରମା କରେ, ଅର୍ଥାତ୍ ସେଠାରେ ୬ ବର୍ଷ ହେଲେ ପୃଥିବୀରେ ପ୍ରାୟ ଏକ ମାସ ହୋଇଥାଏ। ଏହାର କକ୍ଷପଥ ଆକାରରେ ସାମାନ୍ୟ ଅଣ୍ଡାକାର। ପିଆରଏଲ୍ ଟିମ୍ର ଅଧ୍ୟୟନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ଟିଓଆଇ-୬୬୫୧ବିର ଗଠନ ଜାଣିବା। ଏହି ଗ୍ରହର ଉଚ୍ଚ ଘନତା ସୂଚାଉଛି ଯେ ଏହାର ବସ୍ତୁତ୍ୱର ପ୍ରାୟ ୮୭% ପଥର ଓ ଲୁହାଯୁକ୍ତ ପଦାର୍ଥରେ ଗଠିତ। ଅବଶିଷ୍ଟ ବହିରାବରଣରେ ଅଛି ହାଇଡ୍ରୋଜେନ ଓ ହିଲିୟମର ଏକ ହାଲୁକା ମିଶ୍ରଣ।