February 13, 2025

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଭାରତ-ରୁଷ ଲେଖକ ସମ୍ମିଳନୀ ଅନୁଷ୍ଠିତ

1 min read

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଛି ଭାରତ-ରୁଷ ଲେଖକ ସମ୍ମିଳନୀ। ରୁଷ ଦୂତାବାସ ଏବଂ ନୂଆଦିଲ୍ଲୀର ରୁଷିଆନ ହାଉସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀରେ ସଭାପତି ମାଧବ କୌଶିକ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ ଆଲୋଚନାର ବିଷୟ ଥିଲା ‘ଅନୁବାଦ କଳା: ନିଷ୍ଠା ବନାମ ସୃଜନଶୀଳତା’।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ରୁଷ ଦୂତାବାସର ପରାମର୍ଶଦାତା ଜୁଲିଆ ଅରାୟେଭା ଏବଂ ରୁଷିଆନ୍ ହାଉସର ନିର୍ଦ୍ଦେଶକ ଏଲିନା ରେମିଜୋଭା। କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସରାଓ ସମସ୍ତଙ୍କୁ ସ୍ୱାଗତ କରିଥିଲେ।

“ଭାରତ ଏବଂ ରୁଷର ଲେଖକ ଏବଂ ଅନୁବାଦକଙ୍କ ପାଇଁ ଏହା ଏକ ଐତିହାସିକ ମୂହୁର୍ତ୍ତ। ଆମ ସାହିତ୍ୟିକ ଓ ସଂସ୍କୃତିକ ସମ୍ପର୍କର ସୁବର୍ଣ୍ଣ ଦିନଗୁଡ଼ିକୁ ମନେ ପକାଇ, ଆମେ ପୁଣି ଥରେ ଏକ ନୂତନ ମୂଳଦୁଆ ସ୍ଥାପନ କରିପାରିବା। ଏହାର କେନ୍ଦ୍ରରେ ପୂର୍ବ ପରି, ଆମର ଲେଖକମାନେ ରହିବେ”, କହିଛନ୍ତି ମାଧବ କୌଶିକ।

ନୂତନ ପିଢ଼ିକୁ ଅନୁବାଦ ପ୍ରକ୍ରିୟାରେ ସାମିଲ କରବା ପାଇଁ ସେ ରୁଷିୟ ଏବଂ ଭାରତୀୟ ଅନୁବାଦକମାନଙ୍କୁ ଅନୁରୋଧ କରିଥିଲେ।

“ଭାରତ ପରି ରୁଷରେ ମଧ୍ୟ କାହାଣୀ କହିବାର ଏକ ପ୍ରାଚୀନ ପରମ୍ପରା ଅଛି। ଏ ପର୍ଯ୍ୟନ୍ତ ଆମେ କେବଳ ଶାସ୍ତ୍ରୀୟ ସାହିତ୍ୟ ଅନୁବାଦ କରିଛୁ କିନ୍ତୁ ଏବେ ଆଧୁନିକ ସାହିତ୍ୟର ଅନୁବାଦକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି”, କହିଛନ୍ତି ଜୁଲିଆ ଅରାୟେଭା।

କାର୍ଯ୍ୟକ୍ରମରେ ରୁଷୀୟ ଏବଂ ଭାରତୀୟ ଲେଖକ ଏବଂ ଅନୁବାଦକମାନେ ଅନୁବାଦର ଦୀର୍ଘ ପ୍ରକ୍ରିୟା ଉପରେ ସେମାନଙ୍କର ମତ ପ୍ରକାଶ କରିଥିଲେ। ସମସାମୟିକ ଲେଖକମାନଙ୍କ ପୁସ୍ତକ ମଧ୍ୟ ଅନୁବାଦ ହେବା ଉଚିତ ଏବଂ ଏଥିପାଇଁ ନୂତନ ପିଢ଼ିର ଅନୁବାଦକ ପ୍ରସ୍ତୁତ ଆଗେଇ ଆସିବା ନେଇ ସମସ୍ତେ ଗୁରୁତ୍ୱ ଦେଇଥିଲେ।

ଏହି ସମ୍ମିଳନୀରେ ସେରଗେଇ ଶାରଗୁନୋଭ, ଦିମିତ୍ରୀ ବାକ୍, ଭାସିଲି ନତସିନ୍ତଫ୍ ଏବଂ ଆନ୍ନା ଶିପିଲୋଭା ଭଳି ରୁଷୀୟ ସାହିତ୍ୟିକମାନେ ଯୋଗଦେଇଥିଲେ। ଏହାସହ ହେମ ଚନ୍ଦ୍ର ପାଣ୍ଡେ, ପଙ୍କଜ ମାଲବ୍ୟ, ରଞ୍ଜନା ସକ୍ସେନା, ରଞ୍ଜନା ବାନାର୍ଜୀ, କିରଣ ସିଂହ ବର୍ମା ଏବଂ ସୋନୁ ସାଇନି ଭାରତୀୟ ଲେଖକ ଲେଖିକା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।