August 11, 2026

ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ବିଶୋଇ ବ୍ଲକର ବାଢୁଣିଆସ୍ଥିତ

1 min read

ବିଶୋଇ: ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ବିଶୋଇ ବ୍ଲକର ବାଢୁଣିଆସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଦ୍ୟ ଓ ଶିକ୍ଷକ ଅଭାବକୁ ନେଇ ଛାତ୍ରୀମାନେ ଆଜି ରାଜପଥ ଅବରୋଧ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ପ୍ରାୟ ୬ ବର୍ଷ ତଳେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨୦ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି।ସରକାରଙ୍କ ମଧ୍ୟାନ ଭୋଜନ ଖାଦ୍ୟ ସେମାନଙ୍କୁ ଦିଆଯାଉନାହିଁ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଭୋଜନରେ ଭାତ, ଅଣ୍ଡା ଓ ତରକାରୀ ଉଲ୍ଲେଖ ଥିବାବେଳେ ନିୟମିତ ଭାବେ ମଟର, ଆଳୁ, ପୋଟଳ ଓ ଡାଲମା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନଥିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଛାତ୍ରୀମାନେ କହିଛନ୍ତି। ପରୀକ୍ଷାକୁ ଆଉ ମାତ୍ର ଦୁଇ ମାସ ଥିବାରୁ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିଛି।ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟକ୍ଷା ସସ୍ମିତା ଗିରିଙ୍କ ନିକଟରେ ଅଭିଯୋଗ କରିଥିବା ନେଇ ଛାତ୍ରୀମାନେ କହିଛନ୍ତି। ତେବେ ସେମାନଙ୍କ ଅଭିଯୋଗର ସମାଧାନ ପ୍ରତି ଅଧ୍ୟକ୍ଷା ଆଗ୍ରହ ପ୍ରକାଶ କରିନଥିବା ଏବଂ ଛାତ୍ରୀମାନଙ୍କୁ ଚୁପ୍‌ ରହିବାକୁ କହିଥିବା ସେମାନେ ଅଭିଯୋଗ କରିଛନ୍ତି।ଛାତ୍ରୀମାନେ ଅଭିଯୋଗ ପରେ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ ଅଧ୍ୟକ୍ଷାଙ୍କ ସହ ସେମାନଙ୍କର ଆଲୋଚନା ହୋଇନଥିବା ନେଇ ସୂଚନାମିଳିଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ଛାତ୍ରୀମାନେ ନିଜର ଦାବି ପୂରଣ ପାଇଁ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଛାତ୍ରୀମାନେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ (ଆଇଟିଡିଏ) ଜ୍ଞାନରଞ୍ଜନ ସାମଲ, ଅତିରିକ୍ତ ମଙ୍ଗଳ ଅଧିକାରୀ ଅଜୟ କୁମାର ଜେନା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କମଳାକାନ୍ତ ସ୍ୱାଇଁ, ତହସିଲଦାର ସତ୍ୟବାନ ନାୟକ, ବିଡିଓ ସୁମନ ରାଜା ମହାନ୍ତି, ସରପଞ୍ଚ ସୋମବାରି ସିଂ, ଥାନା ଅଧିକାରିଣୀ ସୁବର୍ଣ୍ଣ ବେହେରା ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାୟକ ପ୍ରମୁଖ ପହଞ୍ଚିଥିଲେ। ପ୍ରଶାସନିକ ଅଧିକାରୀମାନେ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଆଶ୍ୱାସନ ଦେବା ପରେ ରାସ୍ତାରୋକ ହଟିଥିଲା।