August 11, 2026

ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି

1 min read

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖରେ ଲଘୁଚା‌ପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି। ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ; ମଙ୍ଗଳବାର ୨୨ରୁ ଅଧିକ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବୁଧବାର କଟକ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ ଓ ଢ଼େଙ୍କାନାଳ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଭିନ୍ନ ଜିଲାରେ ପବନ ଓ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି। ୧୪ ତାରିଖ ଯାଏ ବିଭିନ୍ନ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ଖୋରଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, ଯାଜପୁର, ଗଞ୍ଜାମ, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ତାଳଚେରରେ ସର୍ବାଧିକ ୫୮ ମିଲିମିଟର ବର୍ଷା ହୋଇଥିଲା ବେଳେ ଖୋରଧାରେ ୪୪ ମିଲିମିଟର, ନୟାଗଡ଼ରେ ୪୦ ମିଲିମିଟର, ଛତ୍ରପୁରରେ ୨୯ ମିଲିମିଟର, ଢେଙ୍କାନାଳରେ ୨୮ ମିଲିମିଟର, ରାୟଗଡ଼ାରେ ୨୨ ମିଲିମିଟର, ଭୁବନେଶ୍ବର ଓ କୋରାପୁଟରେ ୧୯ ମିଲିମିଟର ବର୍ଷା ହୋଇଛି।