ଅକ୍ଷୟ ତୃତୀୟାରେ ୧୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା, ରୁପା କାରବାର
1 min read
ଭୁବନେଶ୍ୱର: ଦର ଉଚ୍ଚା ସତ୍ତ୍ବେ ପବିତ୍ର ଅକ୍ଷୟ ତୃତୀୟାରେ ସାରା ରାଜ୍ୟରେ ପ୍ରାୟ ୧୪୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଏବଂ ରୁପା କାରବାର ହୋଇଛି। ଏହି ଦିନଟି ଶୁଭ ଅନୁକୂଳର ମହାପର୍ବ ହୋଇଥିବାରୁ ଲୋକେ ଘରକୁ ସୁନା, ରୁପା ଏବଂ ହୀରାର ବିଭିନ୍ନ ଅଳଙ୍କାର କ୍ରୟ କରିଥାନ୍ତି।
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ସାରା ରାଜ୍ୟରେ ପାଳନ କରାଯାଏ। ଏହିଦିନ ସମସ୍ତଙ୍କ ପାଇଁ ଶୁଭ ଦିନ ହୋଇଥିବାରୁ ବିଶ୍ବାସମତେ ଆଜିର ଦିନରେ ଧାତବ ଅଳଙ୍କାର ସୁନା, ରୁପା କିମ୍ବା ହୀରାର ଯେକୌଣସି ଜିନିଷ କିଣିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏହାକୁ ବିଶ୍ବାସକୁ ନେଇ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ସହିତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ଅଳଙ୍କାର ଦୋକାନ ଓ ଗହଣା ଶୋ-ରୁମ ଗୁଡ଼ିକରେ ଭିଡ ଜମିଥିଲା।
ବିଶେଷ କରି ଅକ୍ଷୟ ତୃତୀୟାରେ ଓଡ଼ିଆ ଘର ଲୋକେ ସୁନା କିଣିବାକୁ ଅଧିକ ପସନ୍ଦ କରିଥାନ୍ତି। ବୁଧବାର ସୁନା ଦୋକାନାଗୁଡିକରେ ସକାଳୁ ଭିଡ଼ ଦେଖିବାକୁ ମିଳିଥିଲା। ପୂର୍ବଦିନ ଗୁଡିକରେ ଅଳଙ୍କାର ଦୋକାନ ଏବଂ ଶୋ-ରୁମ ଗୁଡ଼ିକ ପୂର୍ବାହ୍ନ ସାଢ଼େ ସାଢେ ଟା ବେଳକୁ ଖୋଲା ଯାଉଥିବା ବେଳେ ଅାଜି ସକାଳ ସାଢ଼େ ୯ଟାରୁ ଖୋଲାଯାଇଛି। ସୁନା ଦୋକାନଗୁଡ଼ିକ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେଇଥିଲେ। ଆଜି ବଜାରରେ ୨୨ କ୍ୟାରେଟ ସୁନା ଗ୍ରାମର ମୂଲ୍ୟ ୮୯୭୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ଗ୍ରାମର ମୂଲ୍ୟ ୯୭୯୬ଟଙ୍କା ରହିଥିଲା।
ବ୍ୟବସାୟୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍କିମ ଆଣିଥିବା ବେଳେ ଗଢ଼ା ମଜୁରି ଉପେର ଗ୍ରାହକଙ୍କୁ ରିଆତି ଦେଇଛନ୍ତି। ରାଜ୍ୟରେ ଯେତିକି ଟଙ୍କାର ସୁନା ରୁପା କାରବାର ହୋଇଥାଏ ତା’ର ୮୦% କେବଳ ରାଜଧାନୀ ବଜାରରେ କାରବାର ହୋଇଥାଏ। ଅନ୍ୟପକ୍ଷରେ ଅକ୍ଷୟ ତୃତୀୟାରେ ସାମାନ୍ୟ ଶସ୍ତା ହେଲା ସୁନା ଦର। ପୂର୍ବରୁ ସୁନା ଦର ବଢ଼ି ବଢ଼ି ଚାଲିଥିବା ବେଳେ ଆଜି କମିଛି। ସୁନାର ଉତ୍ପାଦ ଶୁଳ୍କ, ରାଜ୍ୟ ଟିକସ ଏବଂ ମେକିଂ ଚାର୍ଜ ଯୋଗୁ ସୁନା ଅଳଙ୍କାର ମୂଲ୍ୟ ସାରା ଦେଶରେ ଭିନ୍ନ ହୋଇଥାଏ। କ୍ୟାରଟ ଅନୁସାରେ ସୁନା ଅଳଙ୍କାରରେ ହଲ ମାର୍କ ଚିହ୍ନିତ ହୋଇଥାଏ । ରୁପା କେଜି ଏକ ଲକ୍ଷ ୫ ହଜାର ଟଙ୍କା ରହିଥିଲା