July 27, 2024

ଓଡ଼ିଶାରୁ ଧର୍ମେନ୍ଦ୍ର, ଜୁଏଲ, ଅଶ୍ବିନୀ

1 min read

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଓଡ଼ିଶାରୁ ତିନି ଜଣ ସାଂସଦଙ୍କୁ ମନ୍ତ୍ରୀ କରାଯାଇଛି। ନିର୍ବା‌ଚିତ ଲୋକସଭା ସାଂସଦଙ୍କ ମଧ୍ୟରୁ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହୋଇଛନ୍ତି। ବିଜେପିର ଏକମାତ୍ର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମଧ୍ୟ ମନ୍ତ୍ରୀ ହୋଇଛନ୍ତି। ତିନି ଜଣ ଯାକ ଅନୁଭବୀ ଓ ଅଭିଜ୍ଞ ସାଂସଦଙ୍କୁ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଓଡ଼ିଶାରୁ ଏଥର ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟରେ ବିଜେପିର ଏହା ହେଉଛି ସର୍ବକାଳୀନ ରେକର୍ଡ। ବିଜେପି ଗଠନ ହେଲା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଏମିତି ଏକ ବଡ଼ ସଫଳତା ମିଳିଛି। ପୁଣି ରାଜ୍ୟରେ ବିଜେପି ସରକାର ବି ଗଠନ ହେବାକୁ ଯାଉଛି। ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଥିବାରୁ କେନ୍ଦ୍ରରେ ଅଧିକ ମନ୍ତ୍ରୀ ପଦ ମିଳିବ ବୋଲି ଅନୁମାନ କରାଯାଉଥିଲା। ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ସମ୍ବିତ ପାତ୍ର ପ୍ରମୁଖଙ୍କ ନାମ ମନ୍ତ୍ରୀ ଚର୍ଚ୍ଚାରେ ରହିଥିଲା। କିନ୍ତୁ ମୋଦୀ କେବଳ ଦୁଇ ଜଣ ପୁରୁଣା ନେତାଙ୍କୁ ହିଁ ଭରସା କରିଛନ୍ତି। ଭର୍ତ୍ତୃହରିଙ୍କ ନାମ ଏବେ ବି ବାଚସ୍ପତି ଚର୍ଚ୍ଚାରେ ରହିଛି।
ଜୁଏଲ୍‌ ଓରାମ ତୃତୀୟ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ ସେ ମନ୍ତ୍ରୀ ହୋଇଥିଲେ। ଦୁଇ ଥର ଯାକ ତାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହିଁ ମିଳିଥିଲା। ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଲଗାତାର ୧୦ ବର୍ଷ ହେଲା ଭରସା କରିଆସୁଛନ୍ତି। ୨୦୧୪ ମସିହାରୁ ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି। ଅଶ୍ବିନୀ ବୈଷ୍ଣବ ୨୦୧୯ରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେଲା ପରେ ୨୦୨୧ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା। ସେବେଠାରୁ ସେ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି। ସୂଚନାଯୋଗ୍ୟ ଯେ ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ପର୍ଯ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପ୍ରତାପ ଷଡ଼ଙ୍ଗୀ ବାଦ୍ ପଡ଼ିଥିଲା ବେଳେ ବିଶ୍ବେଶ୍ବର ଟୁଡ଼ୁ ମନ୍ତ୍ରୀ ହୋଇଥିଲେ। ଧର୍ମେନ୍ଦ୍ର ତାଙ୍କ ସ୍ଥାନ ବଜାୟ ରଖିଥିଲେ। ଏହା ସହିତ ଅଶ୍ବିନୀ ବୈଷ୍ଣବ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।

Leave a Reply

Your email address will not be published. Required fields are marked *