January 17, 2025

ତିରୁପତି ମନ୍ଦିରରେ ଟୋକନ ବାଣ୍ଟିବା ପୂର୍ବରୁ ଦଳାଚକଟାରେ ଚାଲିଗଲା ଭକ୍ତଙ୍କ ଜୀବନ

1 min read

ଆନ୍ଧ୍ରପ୍ରଦେଶ: ଅଧା ରହିଗଲା ତିରୁପତି ଦର୍ଶନ। ଟୋକନ ବାଣ୍ଟିବା ପୂର୍ବରୁ ଦଳାଚକଟାରେ ଚାଲିଗଲା ୬ ଜଣ ଭକ୍ତଙ୍କ ଜୀବନ ଆନ୍ଧ୍ରପ୍ରଦେଶସ୍ଥିତ ତିରୁପତି ମନ୍ଦିରରେ ଟୋକନ ନେବାବେଳେ ଦଳାଚକଟା ଘଟି ୬ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ବୁଧବାର ରାତିରେ ଘଟିଛି ଏହି ଅଘଟଣ। ତିରୁପତି ମନ୍ଦିରର ବିଶେଷ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ୮ଟି ସ୍ଥାନରେ ଟୋକନ କାଉଣ୍ଟର ହୋଇଥିଲା। ଏହି ସମୟରେ ବୈରାଗୀ ପଟ୍ଟଡ଼ା ଏବଂ ଏମଜିଏମ କାଉଣ୍ଟରରେ ଅତ୍ୟଧିକ ଭିଡ଼ ଜମିଥିଲା।

ଧାଡ଼ିରେ ଛିଡ଼ା ହୋଇଥିବା ହଜାର ହଜାର ଭକ୍ତ ଟୋକନ ନେବାକୁ ଠେଲାପେଲା ଆରମ୍ଭ କରି ଦେଇଥିଲେ। ଫଳରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦଳ ଚକଟା ଯୋଗୁଁ ୬ ଭକ୍ତଙ୍କର ଜୀବନ ଚାଲିଯାଇଛି। ଏଥିରେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ବୈକୁଣ୍ଠ ଏକାଦଶୀରୁ ଅର୍ଥାତ ଜାନୁଆରି ୧୦ ତାରିଖରୁ ତିରୁପତି ମନ୍ଦିରରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ସ୍ୱତନ୍ତ୍ର ଦର୍ଶନ ଆରମ୍ଭ ହେବ। ଏହି ଦର୍ଶନ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଦର୍ଶନ ପାଇଁ ୯ ତାରିଖ ସକାଳୁ ଟୋକନ ଦିଆଯିବାର ବ୍ୟବସ୍ଥା ଥିଲା। ଏଥିପାଇଁ ୮ ତାରିଖ ଅର୍ଥାତ ବୁଧବାର ରାତିରୁ ହଜାର ହଜାର ଭକ୍ତ ମନ୍ଦିର ବାହାରେ ବିଭିନ୍ନ କାଉଣ୍ଟର ସାମ୍ନାରେ ଟୋକନ ପାଇଁ ଭିଡ଼ ଜମାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୪ ହଜାରରୁ ଅଧିକ ଭକ୍ତ ବୈରାଗୀ ପଟ୍ଟିଡ଼ା ଏବଂ ଏମଜିଏମ ସ୍କୁଲ ସେଣ୍ଟରରେ ଟୋକନ ପାଇଁ ଧାଡ଼ିରେ ଥିଲେ। ତେବେ ଏହି କେନ୍ଦ୍ରରେ ଟୋକନ ବଣ୍ଟା ଆରମ୍ଭ ହେବା ପୂର୍ବରୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା।

ଏହି ଦୁର୍ଘଟଣା ପାଇଁ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ସାଧାରଣ ଲୋକ ଦାୟୀ କରିଥିବାବେଳେ ଟିଟିଡି ଅଧ୍ୟକ୍ଷ ବିଆର ନାଇଡୁ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।