ଅକ୍ଟୋବର ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା
1 min read
Screenshot
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟା ସମ୍ପର୍କିତ ଖବରକୁ ନେଇ ଓଡ଼ିଶାଲାଇଭ୍ର ନ୍ୟୁଜ ପୋର୍ଟାଲରେ ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଟିକିନିଖି ଅପଡେଟ୍ ଦିଆଯିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି। ଏହା ପାରାଦୀପରୁ ୭୩୦ କିମି ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି।
ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଓ ଅକ୍ଟୋବର ୨୩ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୪ ରାତିରେ କିମ୍ବା ୨୫ ତାରିଖ ସକାଳେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ। ବାତ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଜିଲ୍ଲାକୁ ରେଡ୍ ଆଲର୍ଟ।ଅକ୍ଟୋବର ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ।