September 21, 2026

ବିଦ୍ୟାଳୟରେ ନିଜର ପତିଆରା ବୃଦ୍ଧି ପାଇଁ ଛାତ୍ରଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା

1 min read

ରାୟଗଡ଼ା:ବିଦ୍ୟାଳୟରେ ନିଜର ପତିଆରା ବୃଦ୍ଧି ପାଇଁ ଛାତ୍ରଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ‌ଏଥିପାଇଁ ନାବାଳକ ଛାତ୍ର ମାନେ ହିଂସାର ପଥ ବାଛିନେଉଥିବା ବେଳେ ଏନେଇ ରାୟଗଡ଼ା ଜିଲ୍ଲାରୁ ଆସିଛି ଛାତିଥରା ଦୃଶ୍ୟ। ବରିଷ୍ଠ ଛାତ୍ର ମାନେ କନିଷ୍ଠ ଛାତ୍ରମାନଙ୍କୁ ଗାଈଗୋରୁଙ୍କୁ ପିଟିବା ଭଳି ଭିଡିଓ ସାମ୍ନାକୁ ଆସିଛି। କୌଣସି କାରଣକୁ ନେଇ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରିଭଲକଣା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ୯ମ ଶ୍ରେଣୀର ଛାତ୍ରଙ୍କୁ ନଡିଆ ବାହୁଙ୍ଗା ଓ ବାଡ଼ିରେ ପିଟୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

୨୦ରୁ ଊର୍ଦ୍ଧ୍ବ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ଼
ଏହି ଘଟଣା ୨ଦିନ ତଳର ହୋଇଥିବା ବେଳେ ଆଜି ସାମ୍ନାକୁ ଆସିଛି । ବିଦ୍ୟାଳୟର ଜଣେ ଛାତ୍ର ନବମ ଶ୍ରେଣୀର ୨୦ରୁ ଊର୍ଦ୍ଧ୍ବ ହଷ୍ଟେଲ ଅନ୍ତେବାସୀଙ୍କୁ ନଡିଆ ବାହୁଙ୍ଗା ଓ ବାଡ଼ିରେ ନିର୍ଧୁମ୍ ମାଡ଼ ମାରୁଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଘଟଣାଟି ରବିବାର ରାତିରେ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନବମ ଶ୍ରେଣୀର କିଛି ଛାତ୍ର, ସମ୍ପୃକ୍ତ ଛାତ୍ର ଓ ଅନ୍ୟ ଛାତ୍ରଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କୁ ତାଗିଦ୍ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଓ ତାଙ୍କ କିଛି ସହପାଠୀ ମିଶି ଗତ ରବିବାର ରାତିରେ ନବମ ଶ୍ରେଣୀର ୨୦ରୁ ଅଧିକ ହଷ୍ଟେଲ ଅନ୍ତେବାସୀଙ୍କୁ ଅମାନବୀୟ ଭାବେ ମାଡ଼ ମାରୁଥିବାର ଭିଡିଓରୁ ଦେଖିବାକୁ ମିଳିଛି। ଏନେଇ ବିଦ୍ୟାଳୟର ହଷ୍ଟେଲ ଦାୟିତ୍ବରେ ରହିଥିବା ଡମ୍ବରୁଧର ତ୍ରିପାଠୀ ସୂଚନା ପ୍ରଦାନ କରି କହିଛନ୍ତି ଉକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବା ସହ ଥାନାରେ ଏତଲା ଦିଆଯାଇଛି