May 22, 2025

ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ଜନ୍ମ ଶତବାର୍ଷିକୀ ବାଲେଶ୍ଵର

1 min read

ବାଲେଶ୍ଵର : ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ଜନ୍ମ ଶତବାର୍ଷିକୀ ବାଲେଶ୍ଵର ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଆୟୋଜକ ବିଭାଗ ତଥା ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ଡକ୍ଟର କରୁଣାକର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ଦୁଇ ପୁଅ ଡକ୍ଟର ଗୋପୀନାଥ ମହାରଣା ଓ ଜିଲ୍ଲା ସେସନ୍ସ ଜଜ୍ ଆନନ୍ଦ ନାରାୟଣ ମହାରଣା ଯୋଗଦେଇ କବିଙ୍କ ବିବିଧ କୃତି ଉପରେ ଆଲୋକପାତ କରିଥିଲେ। ଏଥିସହିତ କବିଙ୍କ ରଚନାଶୈଳୀଗୁଡ଼ିକର ବ୍ୟାଖ୍ୟା ଛାତ୍ରଛାତ୍ରୀଙ୍କ ପଠନ ଏବଂ ଗବେଷଣାରେ କିପରି ଉପଯୋଗୀ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଭାଷା ଓ ସାହିତ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସହକାରୀ ପ୍ରଫେସର ଡକ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।