September 17, 2026

ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ

1 min read

ଭୁବନେଶ୍ୱର : ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶା ସରକାରଙ୍କ ତରଫରୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣିଥିବା କ୍ରୀଡ଼ା ବ୍ୟକ୍ତିତ୍ଵମାନଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଚଳିତବର୍ଷ କ୍ରୀଡ଼ା ଦିବସରେ କିଶୋର ଜେନାଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ମିଳିଛି। ସେହିପରି ପୂର୍ବତନ ହକି ଖେଳାଳି ଲାଜରୁସ୍ ବାର୍ଲାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି। ଏହାସହ ହକି କୋଚ ବିଜୟ କୁମାର ଲାକ୍ରାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ ମିଳିଛି। ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଭାରୋତ୍ତୋଳିକା ପ୍ରିତୀସ୍ମିତା ଭୋଇଙ୍କୁ ଶ୍ରେଷ୍ଠ ଉଦୀୟମାନ ଆଥଲେଟ ପୁରସ୍କାର ମିଳିଛି। ସେହିପରି ଦୃଷ୍ଟିହୀନ କ୍ରିକେଟର୍ ମହମ୍ମଦ ଜାଫର୍ ଇକଵାଲଙ୍କୁ ଶ୍ରେଷ୍ଠ ପାରା ଆଥ‌ଲେଟ ଭାବେ ପୁରସ୍କୃତ ହୋଇଛନ୍ତି। ଜୟନ୍ତୀ ମଲ୍ଲିକ ଏବଂ ରୁଦ୍ର ପ୍ରସାଦ ମଲ୍ଲିକଙ୍କୁ ମିଳିଲା ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ା ବୈଷୟିକ ଅଧିକାରୀ ତଥା କ୍ରୀଡ଼ା ସହାୟକ ଭାବେ ଶ୍ରୀମତୀ ରୂପନ୍ୱିତା ପଣ୍ଡା ଏବଂ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ସୁକେଶ ରଞ୍ଜନ ବେହେରାଙ୍କୁ ସମ୍ମାନିତ କରାଯାଇଛି। ଏହାସହ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ଅବଦାନ ପାଇଁ ନାଲକୋ କମ୍ପାନି ସମ୍ମାନିତ ହୋଇଛି। ଏଠାରେ ଲାଜରୁସ୍ ବାର୍ଲାଙ୍କୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବାବେଳେ କିଶୋର ଜେନାଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି। ଅନ୍ୟ ସମସ୍ତ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

“କ୍ରୀଡ଼ା କ୍ଷେତ୍ର ଓଡ଼ିଶାର ଏକ ପରିଚୟ ପାଲଟିଛି। ରାଜ୍ୟର କ୍ରୀଡ଼ାବିତମାନେ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଅଣୁଛନ୍ତି। ଭାରତୀୟ ହକି ଦଳକୁ ଆମ ରାଜ୍ୟ ସହୟତା ପ୍ରଦାନ କରି ସାରା ଦେଶର ପ୍ରଶଂସା ସାଉଁଟୁଛି। ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ମିଳୁଥିବା ପ୍ରୋତ୍ସାହନ ଆମ ଯୁବପିଢ଼ିଙ୍କୁ ଆକର୍ଷିତ କରିବ ବୋଲି ଆମର ବିଶ୍ଵାସ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରାଜ୍ୟର ଗୌରବ ବଢ଼ାଇଥିବା କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ଏଠାରେ କୃତଜ୍ଞତା ଜଣାଇଥିଲେ। କ୍ରୀଡ଼ା କ୍ଷେତ୍ରରେ ଆଗକୁ ଆହୁରି ଭଲ କରିବା ପାଇଁ ସେମାନଙ୍କୁ ଉଦବୋଧନ ଦେଇଥିଲେ।ଏହି କ୍ରୀଡ଼ା ଦିବସ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *