ଅଗଷ୍ଟ ୧୭ ରେ OTET ପରୀକ୍ଷା
1 min readଭୁବନେଶ୍ୱର : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ତାରିଖ ଘୁଞ୍ଚିବନି । ଅଗଷ୍ଟ ୧୭ରେ ହେବ ଓଟିଇଟି ପରୀକ୍ଷା । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଟିଇଟିକୁ ଘୁଞ୍ଚାଇବାକୁ ଦାବି କରାଯାଇଥିବା ବେଳେ ସେ ବାବଦରେ ବୋର୍ଡ କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେଇନାହାନ୍ତି । ଏହାଫଳରେ ଗୋଟିଏ ଦିନରେ ଦୁଇଟି ପରୀକ୍ଷା କେମିତି ଦେବେ ସେନେଇ ଏବେ ହଜାର ହଜାର ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଯାଇଛନ୍ତି ।
ଅଗଷ୍ଟ ୧୭ରେ ରାଜ୍ୟରେ ଓଟିଇଟି ପରୀକ୍ଷା ହେବ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି। ୪୩୦ କେନ୍ଦ୍ରରେ ୧ ଲକ୍ଷ ୪୧ ହଜାର ୨୭୮ ପରୀକ୍ଷା ଦେବେ। ସେଥିରୁ ପେପର-୧ ରେ ୩୪ ହଜାର ୧୧୬ ଏବଂ ପେପର- ୨ରେ ୧ ଲକ୍ଷ ୭ ହଜାର ୧୬୨ ପରୀକ୍ଷାର୍ଥୀ ରହିଛନ୍ତି। ପୂର୍ବାହ୍ଣ ୯ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ପେପର- ୧ ଏବଂ ଅପରାହ୍ଣ ୨ଟା ରୁ ୪ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ପେପରରେ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାନୁସାରେ, ଅଗଷ୍ଟ ୧୭ରେ ଓଟିଓଟି ଭଳି ବିଭିନ୍ନ ନିଯୁକ୍ତି ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ରହିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦ୍ବାରା ଅଗଷ୍ଟ ୧୨ ରୁ ୨୦ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ସାକ୍ଷାତ୍କାର ପରୀକ୍ଷା, ରାଜ୍ୟ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟ ଅଧୀନରେ ବିଏଡ୍ କରୁଥିବା ପ୍ରାର୍ଥୀଙ୍କର ସେମିଷ୍ଟର ପରୀକ୍ଷା, ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ବହୁ ବିଶ୍ବବିଦ୍ୟାଳୟରେ ମଧ୍ୟ ପରୀକ୍ଷା ସେହିଦିନ ହେବାର ଅଛି। ଯେଉଁ ଆଶାୟୀ ଓଟିଇଟି ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପରୀକ୍ଷା ମଧ୍ୟ ଦେଉଛନ୍ତି। ତେଣୁ ଓଟିଇଟି ପରୀକ୍ଷା ଦେବେ କି ନାହିଁ ତାହା ଏବେ ପରୀକ୍ଷାର୍ଥୀଙ୍କ ନିମନ୍ତେ ଚିନ୍ତାର କାରଣ ପାଲଟିଛି।