Categories

February 8, 2026

ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷ୍ମାନ ଭାରତ’ ଯୋଜନା

1 min read

ନୂଆଦିଲ୍ଲୀ: ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷ୍ମାନ ଭାରତ’ ଯୋଜନା। ଏଥିପାଇଁ ସୋମବାର ନୂଆଦିଲ୍ଲୀରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା ଯୋଗ ଦେଇଥିଲେ।

ଓଡ଼ିଶାରେ ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ମଧ୍ୟ ଲାଗୁ କରିବେ ରାଜ୍ୟ ସରକାର। ଉଭୟ ଯୋଜନାରେ ରାଜ୍ୟର ସାଢ଼େ ୩ କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବେ। ଉଭୟ ଯୋଜନା ଲାଗି ଗୋଟିଏ କାର୍ଡ ଦିଆଯିବ। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଫେବ୍ରୁଆରି ମାସରୁ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆୟୁଷ୍ମାନ ଯୋଜନା ପ୍ରଥମଥର ପାଇଁ ଓଡ଼ିଶାରେ ଲାଗୁ ହେବା ଫଳରେ ଏହି କାର୍ଡ ଦ୍ଵାରା ସାରା ଭାରତରେ ଯେକୌଣସି ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ। ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ।

ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହେବା ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ।