October 23, 2024

ମଦ ଦ୍ୱାରା ସମାଜ ଉପରେ ଅନେକ କୁପ୍ରଭାବ ପଡ଼ୁଛି

1 min read

ଭୁବନେଶ୍ୱର: ମଦ ଦ୍ୱାରା ସମାଜ ଉପରେ ଅନେକ କୁପ୍ରଭାବ ପଡ଼ୁଛି। ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ, ସଡ଼କ ଦୁର୍ଘଟଣା, ହିଂସା, ପାରିବାରିକ କଳହ ବଢ଼ୁଥିବା ବେଳେ ଯୁବ ଓ ଛାତ୍ର ସମାଜକୁ ପଥଭ୍ରଷ୍ଟ କରୁଛି। ବିଗତ ଦିନରେ ମଦ୍ୟପ ପୁଅ ନିଜ ବାପାଙ୍କୁ ହତ୍ୟା କରିବା ଓ ମଦ୍ୟପ ବାପା ନିଜ ଝିଅ ସହ ଦୁଷ୍କର୍ମ କରିବା ଭଳି ହୀନ କାର୍ଯ୍ୟ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏଣୁ ଏକ ସୁସ୍ଥ ସମା‌ଜ ଗଢ଼ିବାକୁ ହେଲେ ମଦ ବନ୍ଦ କରିବା ଆବଶ୍ୟକ। ରାଜ୍ୟରେ ମଦ ବନ୍ଦ ପାଇଁ ସାମାଜିକ କର୍ମୀ ଓ ଅନୁଷ୍ଠାନଗୁଡ଼ିକ ଅହରହ ସଚେତନତା ସୃଷ୍ଟି କରିବା ସହ ଦାବି କରିଆସୁଛନ୍ତି। ଏବେ ନୂତନ ସରକାର ଆସିଥିବାରୁ ରାଜ୍ୟରେ ମଦ ବନ୍ଦ ପାଇଁ ସୋସିଆଲ୍ ଆକ୍ଟିଭିଷ୍ଟ ଫୋରମ୍ ପକ୍ଷରୁ ନିବେଦନ କରାଯାଇଛି।

ଲୋହିଆ ଏକାଡେମୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫୋରମ ପକ୍ଷରୁ କୁହାଯାଇଛି ଯେ, ରାଜସ୍ୱ ଆୟର ଆଳ ଦେଖାଇ ମଦ ବନ୍ଦ କରାଯାଉନାହିଁ। ସେହିପରି ଅନ୍ୟ କ୍ଷେତ୍ର ଯଥା ଖଣିଜ ସମ୍ପଦ ଲୁଟ୍‌କୁ ରୋକି ରାଜସ୍ବ ଆଦାୟ କରିବା, ପର୍ଯ୍ୟଟନ ଜରିଆରେ ତଥା ଅନ୍ୟାନ୍ୟ କ୍ଷେତ୍ରରୁ କିଭଳି ଭାବେ ଅଧିକ ରାଜସ୍ୱ ଆସିପାରିବ ସେଥ‌ିପାଇଁ ଧ୍ୟାନ ଦିଆଯାଉନାହିଁ। ଯେଉଁ ରାଜସ୍ବ ଆୟ ଲୋକଙ୍କ ହିତ ପାଇଁ କାର୍ଯ୍ୟରେ ନଆସି ସମାଜରେ କ୍ଷତି କରିଥାଏ, ସେଭଳି ରାଜସ୍ବ ଆମକୁ ଦରକାର ନାହିଁ ବୋଲି ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟ କହିଥିଲେ। ଗୁଜରାଟ, ବିହାର, ମିଜୋରାମ ଓ ନାଗାଲାଣ୍ଡ ଭଳି ଓଡ଼ିଶାରେ ମଧ୍ୟ ମଦ ବନ୍ଦ ‌‌‌‌‌ହେବା ଦରକାର। ବିହାର ଭଳି ଗରିବ ରାଜ୍ୟରେ ମଦ ବନ୍ଦ ହେବାର ବର୍ଷେ ମଧ୍ୟରେ ହତ୍ୟା ଓ ଚୋରି ୨୦ ପ୍ରତିଶତ, ଦଙ୍ଗା ୧୩ ପ୍ରତିଶତ ଓ ସଡ଼କ ଦୁର୍ଘଟଣା ୧୦ ପ୍ରତିଶତ କମିଛି। ‌ସେହିପରି ଦୁଗ୍ଧ ବିକ୍ରି ୧୦ ପ୍ରତିଶତ ଲହୁଣୀ ୨ଶହ ପ୍ରତିଶତ ବିକ୍ରି ବୃଦ୍ଧି ପାଇଛି। ତେଣୁ ନୂତନ ସରକାର ଅବିଳମ୍ବେ ମଦ ବନ୍ଦ କରିବାକୁ ଫୋରମ ଅନୁରୋଧ କରିଛି। ସାମ୍ବାଦିକ ସମ୍ମିଳନୀରେ ମୀର ଅହମ୍ମଦ ଅଲ୍ଲୀ ଓ ମନୋଜ କୁମାର ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *