July 27, 2024

ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ

1 min read

ଭୁବନେଶ୍ୱର:୨୦୧୯ ମସିହା ମେ ମାସରେ ଫନୀ ବାତ୍ୟା ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇ ଥିଲା । ପରବର୍ତ୍ତୀ ବିଭିନ୍ନ ବର୍ଷରେ ଗ୍ରୀଷ୍ମ ଋତୁରେ ଅମ୍ଫାନ, ୟାସ, ଅସାନୀ ଭଳି ବାତ୍ୟା ସଂଗଠିତ ହୋଇଥିଲା । ତେଣୁ ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିର ନିତାନ୍ତ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି |

ବିଗତବର୍ଷରଅନୁଭୂତି ଓ ଅଭିଜ୍ଞତାକୁ ପାଥେୟକରିସମସ୍ତପ୍ରକାରପ୍ରସ୍ତୁତିଜାରି ରଖିବା ନିମନ୍ତେ ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି |ସ୍ୱତନ୍ତ୍ର ରିଲିଫକମିଶନର ଙ୍କ ଏହି ବୈଠକରେଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବତଥା ଏସଆରସି ସତ୍ୟବ୍ରତସାହୁ, ଅଗ୍ନିଶମସେବା ମହାନିର୍ଦ୍ଦେଶକ ଡଃ.ସୁଧାଂଶୁ ଷଡଙ୍ଗୀଙ୍କ ସହଶକ୍ତି ତଥା ଅର୍ଥ ବିଭାଗ, ପୂର୍ତ୍ତବିଭାଗ, ନଗରଉନ୍ନୟନ, ଗ୍ରାମ୍ୟଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗ ସମେତଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ୍ ଆଦି୧୮ଟି ବିଭାଗ ଓ ସଂସ୍ଥାର ପ୍ରମୁଖଶାସନସଚିବ, ସଚିବ ଓ ଉଚ୍ଚକର୍ତ୍ତୃପକ୍ଷମାନେଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱରର ନିର୍ଦ୍ଦେଶିକାଡଃ.ମନୋରମା ମହାନ୍ତି ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ଏବଂ ଉପଗ୍ରହ ତଥ୍ୟ ଆଧାରରେ ଆଗାମୀମଇ ମାସ୧୫ତାରିଖ ଭିତରେ ବାତ୍ୟା ସଂପର୍କରେ ସେପରି ତଥ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉନଥିବା ଓ ଏହା ପରେ ସ୍ଥିତି ଜଣାଯିବା ସଂପର୍କରେ ସେ ଅବଗତ କରିଥିଲେ । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜନସାଧାରଣ ଓ ପ୍ରଶାସନିକ ଆଦି ସବୁସ୍ତରରେ ସତର୍କ ରହିବାକୁ ବୈଠକରେ ମୁଖ୍ୟଶାସନସଚିବ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ବିଭାଗ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କଣ୍ଟିଜେଣ୍ଟ ପ୍ଲାନ୍ (ଜରୁରୀ କାଳୀନ ପ୍ରସ୍ତୁତି) ସଂପର୍କରେ ଉପସ୍ଥାପନ କରାଯାଇଥିଲା ।

ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା କ୍ଷେତ୍ରରେ ଓଡିଶା ପ୍ରଶାସନ ଏକ ଉଚ୍ଚତର ମାନଦଣ୍ଡ ବଜାୟ ରଖିଛି । ଆମର ସବୁ ପ୍ରକାର ପ୍ରସ୍ତୁତି ରହିଛି । ତେବେ ଆମେ ଏହାକୁ କେବେହେଲେ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ । ସବୁ ବିଭାଗରେ ପ୍ରାକ୍ ବାତ୍ୟା ସମୀକ୍ଷା ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଗ୍ରୀଷ୍ମ କାଳୀନ ବାତ୍ୟା ପରିପ୍ରେକ୍ଷୀରେ ଓଡ୍ରାଫ୍ ଓ ଏନଡିଆରଏଫ୍ ତରଫରୁ ଟିମ୍ ମୁତୟନ , ଆବଶ୍ୟକ ଉପକରଣ ସହ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବାତ୍ୟାରେ ବିଦ୍ୟୁତ୍ ସରବରାହ ବ୍ୟାହତ ସମ୍ଭାବନାକୁ ଦୃଷ୍ଚିରେ ରଖି ମାନବ ସମ୍ବଳ, ଆବଶ୍ୟକ ଯନ୍ତ୍ରପାତି ଓ ଉପକରଣ ପ୍ରସ୍ତୁତ ରଖିବାକୁ ବିଦ୍ୟୁତ୍ ବିତରକ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ସହ ସିନଟେକ୍ସ ଯୋଗେ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆବଶ୍ୟକ ଔଷଧ, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଆପତକାଳୀନ ଯୋଜନା ପ୍ରସ୍ତୁତ ହୋଇଥିବା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଉପସ୍ଥାପନ କରିଥିଲେ । ବାତ୍ୟା ସମୟରେ ମହିଳା ଓ ଶିଶୁ, ନିରାଶ୍ରୟମାନଙ୍କ ପ୍ରତି ଧ୍ୟାନ ଓ ଯତ୍ନ , ବନ୍ୟା ବା ବାତ୍ୟା ଆଶ୍ରୟସ୍ଥଳରେ ଜଣେ ଜଣେ ମହିଳା ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱରେ ରଖାଯିବା, ପ୍ରାଣୀମାନଙ୍କ ପାଇଁ ଔଷଧ ଓ ଖାଦ୍ୟ ମହଜୁଦ ରଖାଯିବା, ବାତ୍ୟାରେ ରାସ୍ତା ପ୍ରଭାବିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହେଲେ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗ ଦ୍ୱାରା ଠିକ୍ କରାଯିବା, ରାସ୍ତା ଉପରେ ଗଛ ଡାଳ ପଡିଲେ ବା ଗଛ ଉପୁଡିଲେ ତୁରନ୍ତ ଜଙ୍ଗଲ ବିଭାଗ ଦ୍ୱାରା ରାସ୍ତାରୁ ସେସବୁକୁତୁରନ୍ତ ଅପସାରଣ,ଜଳ ସଂପଦ ବିଭାଗ ତରଫରୁ ନିୟମିତ ନଦୀବନ୍ଧ ଯାଂଚ, ପୋଲିସ ତରଫରୁ ଆଇନଶୃଙ୍ଖଳା ରକ୍ଷା ଆଦି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ପ୍ରତି ବିଭାଗରେ ଜଣେ ଜଣେ ନୋଡାଲ ଅଫିସରଙ୍କ ନାମ, ଟେଲିଫୋନ ନଂ ଓ ଇ ମେଲ ଆଇଡି ଏସ୍ ଆରସି କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ସେହିପରି ବାତ୍ୟା ସମୟରେ ବେପରୁଆ ଭାବରେ ଘରୁ ନବାହାରିବା, ବେପରୁଆ ଗାଡି ଚାଳନା ନକରିବା , ଘରେ ଘରେ ଜରୁରୀ ସ୍ଥିତି ପାଇଁ ପାନୀୟ ଜଳ ସାଇତି ରଖିବା ଆଦି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *