January 27, 2026

ଅର୍ଥନୀତି ବିକାଶରେ ଅଣୁ ଉଦ୍ୟୋଗୀମାନଙ୍କର ଏକ ବଡ଼ ଯୋଗଦାନ ରହୁଛି

1 min read

ଭୁବନେଶ୍ୱର: ଭାରତର ଗ୍ରାମୀଣ ଅର୍ଥନୀତି ବିକାଶରେ ଅଣୁ ଉଦ୍ୟୋଗୀମାନଙ୍କର ଏକ ବଡ଼ ଯୋଗଦାନ ରହୁଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ଦକ୍ଷତା ବିକାଶ ଲାଗି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘କୌଶଳ ମନ୍ଥନ’ ଆୟୋଜନ କରାଯାଇଥିଲା। ଏଥିରେ ଅଣୁ ଉଦ୍ୟୋଗୀମାନଙ୍କର ଡିଜିଟାଲ ଦକ୍ଷତା ବୃଦ୍ଧି, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ କିପରି ଉପଯୁକ୍ତ ବଜାର ସଂଯୋଗ ମିଳିପାରିବ ସେ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମଶୀଳତା ମନ୍ତ୍ରାଳୟ ଏବଂ ଏନଆଇଇଏସବିୟୁଡି ପକ୍ଷରୁ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଓଡ଼ିଶା ସହିତ ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାର ଆଦି ରାଜ୍ୟରୁ ମୋଟ ୮୧ ଜଣ ଅଣୁ ଉଦ୍ୟୋଗୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ କୌଶଳ ବିକାଶ ଓ ଉଦ୍ୟମଶୀଳତା ଏବଂ ଶିକ୍ଷା ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧାରୀ ଯୋଗଦେଇ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

‘‘ଭାରତରେ ଉଦ୍ୟୋଗ ବିକାଶ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି। ବିଶେଷକରି, ଅଣୁ ଉଦ୍ୟୋଗୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ କିପରି ବିଶ୍ୱ ବଜାରରେ ପହଞ୍ଚି ପାରିବ ସେ ଦିଗରେ ଏଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଅଣୁ ଉଦ୍ୟୋଗୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ,’’ କହିଛନ୍ତି ଜୟନ୍ତ ଚୌଧାରୀ।