January 27, 2026

ବରିଷ୍ଠ ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା

1 min read

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ପୁଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା। ନୂଆବର୍ଷ ତଥା ଜାନୁଆରି ୧ରେ ଅଚାନକ ଗାଏବ ହୋଇଯାଇଥିଲେ ମୁକେଶ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଫୋନ୍‌ ସୁଇଚ୍ ଅଫ୍‌ ଥିବାରୁ ପରିବାର ଲୋକ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଠିକାଦାରମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରିଥାଇପାରନ୍ତି ବୋଲି ମୁକେଶଙ୍କ ଭାଇ ସୁକେଶ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ବିଜାପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ ଯେ ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ତ୍ତ ବିଭାଗ ଦ୍ବାରା ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ମୁକେଶ ନିଜ ୟୁଟ୍ୟୁବ୍‌ ଚ୍ୟା‌େନଲ୍‌ରେ ଖବର ପ୍ରସାରଣ କରିଥିଲେ। ଏହା ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଟିମ୍‌ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା। ଯାହାକୁ ନେଇ ଠିକାଦାର ରକ୍ତମୁଖା ହୋଇ ଉଠିଥିଲେ। ଜାନୁଆରି ୧ରେ ମୁକେଶଙ୍କୁ ଠିକାଦାର ଅପହରଣ କରିବା ପରେ ହତ୍ୟା କରିଥିଲେ।