November 26, 2026

ସମ୍ବଲପୁର ଜିଲା ଠେମରା CHCର ଜଣେ ସ୍ୱାସ୍ଥ୍ୟକର୍ମୀ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି

1 min read

ସମ୍ବଲପୁର,୨୬।୧୧: ସମ୍ବଲପୁର ଜିଲା ଠେମରା CHCର ଜଣେ ସ୍ୱାସ୍ଥ୍ୟକର୍ମୀ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ଫାଇଲ୍‌ ଆଗକୁ ବଢ଼ାଇବାକୁ ସେ ଜଣେ ଆବେଦନକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଥେମରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମଲ୍ଟି ପର୍ପୋଜ୍‌ ହେଲ୍‌ଥ ୱାର୍କର ହରିହର ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ ।

ଭିଜିଲାନ୍ସ ସୂଚନା ଅନୁସାରେ, ଆବେଦନକାରୀ ନିଜ ମୃତ ଅଜାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ କାଗଜପତ୍ର ସହ ପ୍ରାୟ ୬ ମାସ ତଳେ ଆବେଦନ କରିଥିଲେ । ହେଲେ ବାରମ୍ବାର ଅନୁରୋଧ ସତ୍ତ୍ୱେ ହରିହର ପ୍ରଧାନ ଫାଇଲ୍‌ ଆଗକୁ ବଢ଼ାଉ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ସେ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଆବେଦନକାରୀ ଅଭିଯୋଗ କରିଥିଲେ।

ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଗୁରୁବାର ଭିଜିଲାନ୍ସ ଟିମ୍‌ ଯୋଜନା ମୁତାବକ ଚଢ଼ାଉ କରି ହରିହର ପ୍ରଧାନଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଧରିଥିଲେ । ତାଙ୍କଠାରୁ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ପରବର୍ତ୍ତୀ ଆଇନଗତ ତଦନ୍ତ ଜାରି ରହିଛି ।