October 30, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୀଷଣ ବର୍ଷା ଗଞ୍ଜାମ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି

1 min read

ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୀଷଣ ବର୍ଷା ଗଞ୍ଜାମ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରୁ ଆଜି ଦିନସାରା ଅବିଶ୍ରାନ୍ତ ବର୍ଷାରେ ଅଧା ଜିଲ୍ଲା ଉବୁଟୁବୁ ହୋଇଛି। ଆସିକା, ଶେରଗଡ଼, ସୋରଡ଼ା, ଧରାକୋଟ, ଭଞ୍ଜନଗର ଓ ବେଲଗୁଣ୍ଠା ଚାରିଆଡ଼ୁ ବିଚ୍ଛିନ୍ନ ହୋଇଯାଇଛି। ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଯିବାରୁ ଗାଁ ଓ ସହରରେ ପାଣି ପଶିଯାଇଛି। ସୀମାନ୍ତ ପାତ୍ରପୁର ଓ ଚିକିଟି ବ୍ଲକରେ ବି ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ପାଣି ସୁଅ ଛୁଟୁଛି। ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ତଥାପି ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରାୟ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଇତିମଧ୍ୟରେ ଆଠଟି ବ୍ଲକ୍‌ର ଦେଢ଼ଲକ୍ଷରୁ ଅଧିକ ଲୋକ ଜଳବନ୍ଦି ହୋଇ ରହିଛନ୍ତି। ସୋରଡ଼ାରେ ପାଣ୍ଡା ନାୟକ (୩୬) ବନ୍ୟାପାଣିରେ ଭାସି ପ୍ରାଣ ହରାଇଥିବା ସୂଚନା ମିଳିଛି। ୨୦୧୩ ‘ଫାଇଲିନ୍‌’ ଓ ୨୦୧୮ ’ତିତ୍‌ଲି’ ବାତ୍ୟା ପରେ ଗଞ୍ଜାମ ଜିଲ୍ଲା ପାଇଁ ଏହା ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି।
ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ମୋଟ ୨୭୦୦ ମିଲିମିଟର (ହାରାହାରି ୧୨୨.୭୭ ମିମି)ରୁ ଅଧିକ ବର୍ଷା ରେକର୍ଡ ହୋଇଛି। ପାତ୍ରପୁରରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୫୪୬ ମିମି ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷା ଫଳରେ ଋଷିକୁଲ୍ୟା, ବାହୁଦା, ଘୋଡ଼ାହାଡ଼, ଲୋହରାଖଣ୍ଡି, ଜରଉ, ପଦ୍ମା ଓ ବଡ଼ନଦୀରେ ବନ୍ୟା ଆସିଛି। ସେହିପରି ବାଘଲଟି, ବାଘୁଆ ଓ ଡହ ଡ୍ୟାମ୍‌ ଉବୁଟୁବୁ ହେଉଛି। ଆସିକା, ଶେରଗଡ଼, ଧରାକୋଟ, ଭଞ୍ଜନଗର, ହିଞ୍ଜିଳିକାଟୁ, ସୋରଡ଼ା, ବେଲଗୁଣ୍ଠା, ସାନଖେମୁଣ୍ଡି, ପାତ୍ରପୁର, ଚିକିଟି, ଗଞ୍ଜାମ, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଓ ଛତ୍ରପୁର ବ୍ଲକ୍‌ ବିଶେଷ ପ୍ରଭାବିତ ହୋଇଛି। ଆସିକା ସହର ସଂପୂର୍ଣ୍ଣ ଜଳବନ୍ଦିରେ ରହିଥିବା ବେଳେ ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଲୋକେ ପ୍ରଥମ ଓ ଦ୍ବିତୀୟ ମହଲାରେ ଆଶ୍ରୟ ନେଇଛନ୍ତି। ବହୁ ସ୍ଥାନରେ ତଳମହଲାରେ ୬ ଫୁଟ୍‌ରୁ ଅଧିକ ପାଣି ପ୍ରବାହିତ ହେଉଛି।