ଭୁବନେଶ୍ୱର କେଶରୀ ନଗର ସର୍କଲ ଆରଆଇ ନିରଞ୍ଜନ ସିଂହ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି
1 min read
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର କେଶରୀ ନଗର ସର୍କଲ ଆରଆଇ ନିରଞ୍ଜନ ସିଂହ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଲିଗାଲ ହେୟାର ସାର୍ଟିଫିକେଟ ଦେବା ବଦଳରେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି । ମିଳିଥିବା ଖବର ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମାଆ ଓ ସାନଭାଇଙ୍କ ମୃତ୍ୟୁ ପରେ ସେ ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ଗତ ସେପ୍ଟେମ୍ବର ୯ ତାରିଖରେ ଅନଲାଇନରେ ଆବେଦନ କରିଥିଲେ । ଏଥିପାଇଁ ଆବଶ୍ୟକ କାଗଜ ପତ୍ର ମଧ୍ୟ ଦାଖଲ କରିଥିଲେ । ତେବେ ତଦନ୍ତ କରି ରିପୋର୍ଟ ଦେବାରେ ଆରଆଇ ଶ୍ରୀ ସିଂହ ଡେରି କରିବା ସହ ୫ ହଜାର ଟଙ୍କା ଦେଲେ କାମ କରାଇଦେବେ ବୋଲି ସିଧାସଳଖ କହିଥିଲେ । ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆରଆଇ ଶ୍ରୀ ସିଂହ ସୋମବାର ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରୀ ସିଂହଙ୍କ ସମ୍ପୃକ୍ତିଥିବା ବିଭିନ୍ନ ସ୍ଥାନ ଉପରେ ଚଢଉ ଜାରି ରହିଛି ।


