ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ,୧୦୨ ଅଭିଯୋଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଡେରାବିଶ
1 min read
ଡେରାବିଶ ପଞ୍ଚାୟତ ସମିତି ସଭାଗୃହ ରେ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ ରେ ୧୦୨ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୮ ଗୋଟି ସାମୁହିକ ଓ ୮୪ ଗୋଟି ବ୍ୟକ୍ତିଗତ ରହିଥିଲା। ସାମୁହିକ ଅଭିଯୋଗ ମଧ୍ୟରୁ ବାଲିଆ ପଞ୍ଚାୟତ ୧୦ ନମ୍ବର ଓ୍ବାର୍ଡ ଯଶୋର ଗ୍ରାମର ଅଧିବାସୀମାନେ ପାନୀୟ ଜଳ ପାଉନଥିବା ଅଭିଯୋଗ କରିଥିଲେ। ଏହି ଗ୍ରାମର କୈଳାସ ପ୍ରଧାନ ଓ ପୀତାମ୍ବର ବେହେରାଙ୍କ ଘର ନିକଟରେ ଥିବା ୨ ଟି ଗଭୀର ନଳକୂପ ଅଚଳ ହେବା ଯୋଗୁଁ ଗ୍ରାମବାସୀ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ସେହିପରି ଏହି ଗ୍ରାମକୁ ଯାତାୟତ ପାଇଁ ସବୁଦିନିଆ ରାସ୍ତା ନଥିବା ନେଇ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଗ୍ରାମକୁ ଯାଇଥିବା ରାସ୍ତାକୁ ଦୁଇ ଜଣ ଜବରଦଖଲ କରି ରଖିଥିବାରୁ ଗ୍ରାମବାସୀମାନେ ଯାତାୟତ କରି ପାରୁନଥିବା ସମ୍ପର୍କରେ ଅଭିଯୋଗ କରିଥିଲେ।କାଉପଡା ପଞ୍ଚାୟତରେ ଏକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ୨ ବର୍ଷ ହେବ ଅର୍ଥ ମଞ୍ଜୁର କରାଯାଇଥିଲେ ମଧ୍ୟ ଏଯାବତ ଏହା ନିର୍ମାଣ ନହେବା ନେଇ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି କାଉପଡା ପଞ୍ଚାୟତ ୨ ନମ୍ବର ଓ୍ବାର୍ଡ ବାସିନ୍ଦାମାନେ ପାନୀୟ ଜଳରୁ ବଞ୍ଚିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ସମବାୟ ସମିତି ଗୃହ ଗଠନ ପାଇଁ ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦେବା ଉପରେ ସମବାୟବିତ ଗୌରାଙ୍ଗ ଚରଣ ପ୍ରଧାନ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ। ଏଣ୍ଡର ପଞ୍ଚାୟତ ପଚିଶମାଣିଆ ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସେହିପରି ଆବାସ ଯୋଜନା,ରାସନ କାର୍ଡ, ଭତ୍ତା ଓ ଆର୍ଥିକ ସହାୟତା ଭଳି ବ୍ୟକ୍ତିଗତ ଅଭିଯୋଗ ମାନ ଆସିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଗ୍ରାମ୍ଯ ଉନ୍ନୟନ ବିଭାଗ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ବିବିଧ) ନବକୃଷ୍ଣ ଜେନା, ଡେପୁଟି କଲେକ୍ଟର ସରୋଜ କୁମାର ବେହେରା,ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ବିଡିଓ ନମିତା ବାରିକ, ଏବିଡିଓ ମୃଣ୍ମୟ ରାଉତ, ତହସିଲଦାର ସରୋଜକାନ୍ତ ନାୟକ, ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲିକ ଓ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ଅଭିଯୋଗ ଗୁଡ଼ିକର ଶୁଣାଣୀ କରିବା ସହିତ ଏହାର ତ୍ୱରିତ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଭିନ୍ନକ୍ଷମ ମାନଙ୍କୁ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣୀ ଶିବିରରେ ପାନୀୟ ଜଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ କୁମାର ରାଉତ, ସହକାରୀ ଯନ୍ତ୍ରୀ ବିଭୁଦତ୍ତ ଦାଶ,ସିଡ଼ିପିଓ ହରପ୍ରିୟା ଦେବୀ ଓ ମଣ୍ଡଳ ସହ ଶିକ୍ଷାଧିକାରୀ ଦେବଦତ୍ତ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ଶୁଣାଣୀ କରିଥିଲେ।


