ରାଜୀବ ଭବନସ୍ଥିତ ସିଓକୋଆଇ
1 min read
ଭୁବନେଶ୍ୱର: ରାଜୀବ ଭବନସ୍ଥିତ ସିଓକୋଆଇ (SEOCଠା)ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବନ୍ୟା ପ୍ରଭାବିତ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟାରେ ପ୍ରଭାବିତ ଜନସାଧାରଣଙ୍କ କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ବୈଠକରେ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି, ଚଳିତ ବର୍ଷ ଦୀର୍ଘ ସମୟ ଧରି ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲା ଊଣାଅଧିକେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ପେଶାଲ୍ ରିଲିଫ୍ କମିଶନରଙ୍କ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ବାବଦକୁ ୨୪୧.୩୭ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରଯାଇଥିବା ବେଳେ ନିକଟରେ ନବରଙ୍ଗପୁର ଜିଲ୍ଲାକୁ ୫ କୋଟି, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପାଇଁ ୨ କୋଟି ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି l
ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୧୬.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୧୧.୨୧ କୋଟି ଟଙ୍କା ଆବଣ୍ଟନ ଶେଷ ହୋଇଛି l ଯାଜପୁର ଜିଲ୍ଲା ପାଇଁ ୫୨.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୩୩.୮୦ କୋଟି ଟଙ୍କା ବଣ୍ଟନ ସମାପ୍ତ ହୋଇଛି l ସେହିପରି ଭଦ୍ରକ ଜିଲ୍ଲାକୁ ୬୪.୫୪ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଥିଲା ବେଳେ ୪୩.୨୮ କୋଟି ଟଙ୍କା ବ୍ୟୟ ହୋଇ ସାରିଛି l ବାଲେଶ୍ୱର ଜିଲ୍ଲା ପାଇଁ ୨୬.୯୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୫.୯୪ କୋଟି ଟଙ୍କା ଇତିମଧ୍ୟରେ କ୍ଷତିପୂରଣ ବାବଦକୁ ବ୍ୟୟ ହୋଇ ସାରିଛି l ବାରମ୍ବାର ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନ ଏବଂ ବାଧାପ୍ରାପ୍ତ ସୁଦ୍ଧା କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରାଯାଇଛି ଏବଂ ଆଗାମୀ ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ପ୍ରଦାନ ସମାପ୍ତ ହେବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି l


