ପେଟ୍ରୋଲିଂ ବେଳେ ଏକ ମଦ ବୋଝେଇ ବୋଲେରୋ ଗାଡିକୁ ସିନେମା ଷ୍ଟାଇଲରେ ଗୋଡାଇ ଧରିଥିବା ଜଣାପଡିଛି
1 min read
ଆଠଗଡ:ଆଠଗଡ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ଏକ ମଦ ବୋଝେଇ ବୋଲେରୋ ଗାଡିକୁ ସିନେମା ଷ୍ଟାଇଲରେ ଗୋଡାଇ ଧରିଥିବା ଜଣାପଡିଛି । ମଙ୍ଗଳବାର ରାତିରେ ଆଠଗଡ ଅବକାରୀ ଉପଅଧିକ୍ଷକ ସିଏଚ ତିରୁପତିଙ୍କ ନେତୃତ୍ବର ରାତ୍ରିକାଳୀନ ପେଟ୍ରୋଲିଂ ଚାଲିଥବା ବେଳେ ସନ୍ଦିଗ୍ଧ ଅବସ୍ଥାରେ ତିଗିରିଆର ନୂଆପାଟଣା ଆଡେ ଯାଉଥିବା ବେଳେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ଉକ୍ତ ବୋଲେରୋ ଗାଡି ଟି ସେଠାରେ ବୁଲାଇ ବିନ୍ଧାଣିମା ଆଡକୁ ଦୃତ ଗତିରେ ଯାଉଥିବା ବେଳେ ଅବକାରୀ ଗାଡି ତାକୁ ପିଛା କରିଥିଲା । ଗାଡିଟି ଗଦାଧରପୁର ରାସ୍ତାରେ ଯାଉଥିବା ସମୟରେ ଅବକାରୀ ବିଭାଗ ଗାଡି ତାକୁ ପ୍ରାୟ ୧୦ କିମି ପିଛା କରିବା ପରେ ମାନପୁର ନିକଟରେ ବୋଲେରୋଟିକୁ ରାସ୍ତାର ଏକ ପୋଖରୀ ବନ୍ଧ ତଳକୁ ଖସାଇ ସେଥିରେ ଥିବା ମଦ ମାଫିଆ ଚମ୍ପଟ ମାରିଥିଲେ। ଅବକାରୀ ବିଭାଗ ପକ୍ଷରୁ ଜେସିବି ସହାୟତାରେ ଗାଡିଟିକୁ ଉଠାଇଥିଲେ। ଅବକାରୀ ପିଛା କରିବା ବେଳେ ଉକ୍ତ ଗାଡିରେ ରବର ବ୍ଲାଡରରେ ଚାଲାଣ ହେଉଥିବା ବହୁ ପରିମାଣର ମଦକୁ ଚୋରା ମଦ ମାଫିଆ ରାସ୍ତାରେ ଫୋପାଡି ଦେଇଥିବାରୁ ସେଗୁଡିକ ଫାଟି ନଷ୍ଟ ହୋଇଯାଇଥିଲା । ଗାଡି ମଧ୍ଯରେ ରହିଯାଇଥିବା ୭୬ ଲିଟର ଦେଶୀ ମଦକୁ ଅବକାରୀ ଅଧିକାରୀ ଜବତ କରିଥିଲେ । ଏହି ଚଢାଉରେ ଆଠଗଡ ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନ ଓ ଉପନିରୀକ୍ଷକ ତରୁଣ କୁମାର ପାତ୍ରଙ୍କ ସମେତ ଅନ୍ଯ କର୍ମଚାରୀ ସାମିଲ ଥିଲେ ।


