ହରିୟାଣା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ପୁଲିସ କର୍ମଚାରୀ
1 min read
ଅମରୋହା:ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଧାର୍ମିକ ସ୍ଥଳ ବୁଲାଇବା ନାଁରେ ପ୍ରଲୋଭିତ କରି ଜଣେ ୨୩ ବର୍ଷୀୟା ହରିୟାଣା ଯୁବତୀଙ୍କୁ ଫାର୍ମହାଉସରେ ଗଣଦୁଷ୍କର୍ମକରାଯାଇଥିବା ଅଭିଯୋଗ ହୋଇଛି। ଏହି ସଂବେଦନଶୀଳ ଘଟଣାରେ ସମ୍ପୃକ୍ତ ଉତ୍ତର ପ୍ରଦେଶ ପୁଲିସର ଦୁଇ ଜଣ କର୍ମଚାରୀ ଏବଂ ସିଆରପିଏଫର ଦୁଇ ଜଣ ଯବାନଙ୍କୁ ଗିରଫ କରାଯାଇଛି।
ଧାର୍ମିକ ସ୍ଥଳ ବୁଲାଇବା ନାଁରେ ପ୍ରଲୋଭିତ
ପୁଲିସ ସୂଚନା ଅନୁଯାୟୀ, ହରିୟାଣାର ଫତେହବାଦ ଅଞ୍ଚଳର ପୀଡ଼ିତା ଯୁବତୀଙ୍କୁ ଜଣେ ମହିଳା ପରିଚିତ ଅମରୋହାର ଧର୍ମପୀଠ ବୁଲିବା ପାଇଁ ସିଆରପିଏଫ୍ ଇନ୍ସପେକ୍ଟର ମୋହିତଙ୍କ ସହ ଭେଟ କରାଇଥିଲେ। ସେପ୍ଟେମ୍ବର ୨୧ରେ ସୋନିପାତରୁ ମୋହିତଙ୍କ ସହ ବାହାରିବା ପରେ ମିରଟରେ ସିଆରପିଏଫ୍ ହେଡ୍ କନଷ୍ଟେବଳ ଲାଲାରାମ୍ ଯାଦବ ସେମାନଙ୍କ ସହ ଯୋଗ ଦେଇଥିଲେ। ସେପ୍ଟେମ୍ବର ୨୨ ସନ୍ଧ୍ୟାରେ ଉତ୍ତର ପ୍ରଦେଶ ପୁଲିସର ସବ୍-ଇନ୍ସପେକ୍ଟର ସଞ୍ଜୟ ତୋମାରଙ୍କୁ ସାଙ୍ଗରେ ନେଇ ଅତ୍ରାସୀ-ହସନପୁର ରୋଡସ୍ଥିତ ଏକ ଫାର୍ମହାଉସରେ ଦୁଇଟି ରୁମ୍ ଭଡ଼ାରେ ନେଇଥିଲେ। ଉପସ୍ଥିତ ପୁଲିସ ହେଡ୍ କନଷ୍ଟେବଳ ପ୍ରମୋଦ ସେଠାରେ ଖାଦ୍ୟ ଓ ମଦର ବ୍ୟବସ୍ଥା କରିଥିଲେ। ଅଭିଯୋଗ ଅନୁଯାୟୀ, ଫାର୍ମହାଉସରେ ମୋହିତ, ଲାଲାରାମ୍ ଓ ସଞ୍ଜୟ ତୋମାର ପୀଡ଼ିତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରମୋଦ ଦୁଷ୍କର୍ମ ଉଦ୍ୟମ କରିବାରୁ ଯୁବତୀ ଜଣକ ତାଙ୍କୁ ଠେଲି ଦେଇ ଭିତରୁ କବାଟ ବନ୍ଦ କରିଦେଇଥିଲେ।
F-35 Fighter Jet: ଏଫ୍-୩୫ର ଗୁପ୍ତ ପ୍ରଯୁକ୍ତିବିଦ୍ୟା ଚୀନ୍ ହାତରେ: ଯନ୍ତ୍ରାଂଶ ହଂକଂ ସ୍ଥାନାନ୍ତର ଘଟଣାରେ ପେଣ୍ଟାଗନର ତଦନ୍ତ ଆରମ୍ଭ
ବୁଧବାର ଭୋର୍ ପ୍ରାୟ ୬ଟାରେ ଯୁବତୀ ଜଣକ ଅନଲାଇନରୁ ପୁଲିସ ହେଲ୍ପଲାଇନ୍ ନମ୍ବର ଖୋଜି ଆପାତକାଳୀନ ସୂଚନା ଦେବା ପରେ ହସନପୁର ଓ ରଜବପୁର ଥାନା ପୁଲିସ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)ର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ସମସ୍ତ ୪ ଅଭିଯୁକ୍ତଙ୍କୁ ଜେଲ୍ ପଠାଯାଇଛି। ସବ୍-ଇନ୍ସପେକ୍ଟର ସଞ୍ଜୟ ତୋମାରଙ୍କୁ ନିଲମ୍ବିତ କରାଯାଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସିଆରପିଏଫ୍ ଯବାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଛି। ଉକ୍ତ ଫାର୍ମହାଉସଟି ଉତ୍ତରାଖଣ୍ଡର ଜଣେ ନିର୍ଦ୍ଦଳୀୟ ବିଧାୟକଙ୍କର ବୋଲି ଜଣାପଡ଼ିଛି। ଅନ୍ୟପଟେ, ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।


