September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

1 min read

ଭୁବନେଶ୍ୱର, ୧୫/୦୯/୨୦୨୬: ଛତିଶଗଡ଼ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ସେମାନଙ୍କର ଆନ୍ତଃ-ରାଜ୍ୟ ଗସ୍ତର ତୃତୀୟ ଦିନରେ କୋରବା ଜିଲ୍ଲାରେ ଅବସ୍ଥିତ ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡ୍ (ଏସଇସିଏଲ) ର ଗେଭ୍ରା ଖଣି ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ କାଳରେ ସେମାନେ ଖନନ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ସହ ବୃହତ୍-ସ୍କେଲ୍ କୋଇଲା ଉତ୍ପାଦନ, ବୈଷୟିକ କୌଶଳ ଏବଂ ସୁରକ୍ଷା ବ୍ୟବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ।

ଏସଇସିଏଲର ମୁଖ୍ୟ ପରିଚାଳକ ଶ୍ରୀ ସଞ୍ଜୟ ମିଶ୍ର ଏବଂ ମୁଖ୍ୟ ପରିଚାଳକ (ପରିଚାଳନା) ଶ୍ରୀ ଧୀରାଜ ଚୌଧୁରୀ ସାମ୍ବାଦିକ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ।

ରାଷ୍ଟ୍ରର ବିକାଶରେ କୋଇଲାର ଗୁରୁତ୍ୱ ଉପରେ ଆଲୋକପାତ କରି ଏସଇସିଏଲର ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ ମିଶ୍ର କହିଥିଲେ, “ଯେକୌଣସି ଦେଶର ବିକାଶରେ କୋଇଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଇଲା ବିନା ଶକ୍ତି କ୍ଷେତ୍ରକୁ କଳ୍ପନା କରିବା କଷ୍ଟକର। ରୋଷେଇ ଇନ୍ଧନଠାରୁ ଆରମ୍ଭ କରି ଇଞ୍ଜିନ୍‌ ଓ ଶିଳ୍ପ କାର୍ଯ୍ୟକଳାପକୁ ଶକ୍ତି ଯୋଗାଇବା ପର୍ଯ୍ୟନ୍ତ ଦେଶର ଶକ୍ତି ଆବଶ୍ୟକତା ପୂରଣରେ କୋଇଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।”

ଶ୍ରୀ ଧୀରାଜ ଚୌଧୁରୀ ଗେଭ୍ରା ଖଣିର କାର୍ଯ୍ୟପ୍ରଣାଳୀ, କୋଇଲା ଉତ୍ପାଦନ, ସୁରକ୍ଷା ପ୍ରୋଟୋକଲ୍‌ ଏବଂ ନିରାପଦ ଓ ଦକ୍ଷ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ। ଉତ୍ପାଦନକ୍ଷମତା ବୃଦ୍ଧି ସହିତ ଉଚ୍ଚମାନର ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ପାଇଁ ଗେଭ୍ରାରେ ଗ୍ରହଣ କରାଯାଉଥିବା ବିଭିନ୍ନ ପ୍ରଯୁକ୍ତିଗତ ଓ ପରିଚାଳନାଗତ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ।

ପରିଦର୍ଶନ ସମୟରେ ସାମ୍ବାଦିକମାନେ ଖଣି ଅଞ୍ଚଳକୁ ଯାଇ ସେଠାରେ ଚାଲିଥିବା ଖଣି କାର୍ଯ୍ୟକଳାପକୁ ପ୍ରତ୍ୟକ୍ଷ ଭାବେ ଦେଖିଥିଲେ। ସେମାନେ ଉଚ୍ଚ କ୍ଷମତାସମ୍ପନ୍ନ ଖଣି ଯନ୍ତ୍ରପାତି, କୋଇଲା ଉତ୍ତୋଳନର ବିଭିନ୍ନ ପର୍ଯ୍ୟାୟ, ଓଭରବର୍ଡେନ୍‌ ଅପସାରଣ, କୋଇଲା ପରିଚାଳନା ଓ ପରିବହନ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ।

ଏହି ଗସ୍ତ ସମୟରେ ସାମ୍ବାଦିକ ପ୍ରତିନିଧି ଦଳକୁ ସୂଚନା ଦିଆଯାଇଥିଲା ଯେ, ଗେଭ୍ରା ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ଖୋଲା କୋଇଲା ଖଣି। ୨୦୨୩-୨୪ରେ ଏହି ଖଣିରୁ ୫୯.୧ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଥିଲା। ଏହି ଖଣିରୁ ୭ଟି ରାଜ୍ୟକୁ କୋଇଲା ଯୋଗାଣ ହେଉଥିବା ବେଳେ ଦେଶର ମୋଟ କୋଇଲା ଉତ୍ପାଦନରେ ଏହାର ଅବଦାନ ପ୍ରାୟ ୬ ପ୍ରତିଶତ।

ପରିଦର୍ଶନ ସମୟରେ ସାମ୍ବାଦିକମାନଙ୍କୁ ସର୍ଫେସ୍‌ ମାଇନର୍‌, ରିପର୍‌ ପ୍ରଯୁକ୍ତି ଏବଂ ଶୋଭେଲ୍‌-ଡମ୍ପର୍‌ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏଥିସହିତ, ଖଣି କାର୍ଯ୍ୟକଳାପର ଉତ୍ତମ ନିରୀକ୍ଷଣ ଓ ପରିଚାଳନାଗତ ଦକ୍ଷତା ବୃଦ୍ଧି ପାଇଁ ‘ପ୍ରୋଜେକ୍ଟ ଡିଜିକୋଲ୍‌’ ଅଧୀନରେ ଗ୍ରହଣ କରାଯାଉଥିବା ଡିଜିଟାଲ୍‌ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଏସଇସିଏଲର ଭବିଷ୍ୟତ କୋଇଲା ଉତ୍ପାଦନ ଯୋଜନା ସମ୍ପର୍କରେ ସୂଚନା ଦେଇ ଶ୍ରୀ ଧୀରଜ ଚୌଧୁରୀ କହିଥିଲେ ଯେ, ଆସନ୍ତା ବର୍ଷ ଏସଇସିଏଲ ବିଶ୍ୱର ସର୍ବାଧିକ କୋଇଲା ଉତ୍ପାଦନକାରୀ କମ୍ପାନୀ ହେବା ଦିଗରେ ଅଗ୍ରସର ହେଉଛି।

କୋଇଲାର ଦ୍ରୁତ ଓ ଦକ୍ଷ ପରିବହନ ପାଇଁ ‘ଫର୍ଷ୍ଟ ମାଇଲ୍ କନେକ୍ଟିଭିଟି’ ଅଧୀନରେ କନଭେୟର୍‌ ସିଷ୍ଟମ୍‌ ଏବଂ ରାପିଡ୍‌ ଲୋଡିଂ ସାଇଲୋ ଭଳି ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସାମ୍ବାଦିକମାନେ ଜାଣିଥିଲେ। ଏହାସହିତ ଜଙ୍ଗଲୀକରଣ, ମିୟାୱାକି ବୃକ୍ଷରୋପଣ, ଧୂଳି ନିୟନ୍ତ୍ରଣ, ଖଣିଜଳ ପରିଚାଳନା ଏବଂ ଜମିର ପୁନରୁଦ୍ଧାର ଭଳି ଏସଇସିଏଲର ବିଭିନ୍ନ ପରିବେଶ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ଏହି ଗସ୍ତରେ ସବିଶେଷ ଆଲୋକପାତ କରାଯାଇଥିଲା।

ଏହି ପରିଦର୍ଶନକୁ କେନ୍ଦ୍ର ସଞ୍ଚାର ବ୍ୟୁରୋ (ସିବିସି), ସମ୍ବଲପୁରର ସହକାରୀ ନିର୍ଦ୍ଦେଶକ ଶ୍ରୀ ମନମୋହନ ପାଢ଼ୀ ଏବଂ ପିଆଇବି, ଭୁବନେଶ୍ୱରର ସୂଚନା ସହାୟକ ଶ୍ରୀ ବିକାଶ ରଞ୍ଜନ ଦଳାଇ ସମନ୍ୱୟ କରିଥିଲେ ଏବଂ ସମଗ୍ର ପରିଦର୍ଶନ ସମୟରେ ପ୍ରତିନିଧି ଦଳ ସହିତ ଉପସ୍ଥିତ ଥିଲେ।