September 10, 2026

ଆବୁଧାବିରେ ଓଡ଼ିଶା ନିବେଶ ସମ୍ମିଳନୀ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଆଇଏଚ୍‌ସି (ଆଇଏଚସି) ଏବଂ ଆଦାନୀ ଗ୍ରୁପ୍ ସହ ୧୪ଟି ନୂତନ ପ୍ରକଳ୍ପ ସମେତ ବାଣିଜ୍ୟ ଏବଂ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ରାଜ୍ୟକୁ ଆନୁମାନିକ ୨ଲକ୍ଷ ୧୦ହଜାର ୫୦୦ କୋଟି ଟଙ୍କା (୨.୧୦୫ ଟ୍ରିଲିୟନ ଡଲାର) ନିବେଶ ଆସିବା ସହ ପ୍ରାୟ ୮ ଲକ୍ଷ ୬୮ ହଜାର ୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହ ଅନ୍ତର୍ଜାତୀୟ ନିବେଶ ଭାଗୀଦାରିକୁ ବୃଦ୍ଧି କରିବା ପାଇଁ ଆବୁଧାବି ଓ ଦୁବାଇରେ ବହୁ ବୃହତ୍ ବ୍ୟବସାୟିକ ଏବଂ ପୁଞ୍ଜିନିବେଶକାରୀ ସଂସ୍ଥା ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏଥିରେ ଏକ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ, ୧୪ଟି ନୂଆ ପ୍ରକଳ୍ପ ପାଇଁ ଏମଓୟୁ ଏବଂ ସହଯୋଗ ଚୁକ୍ତି ବାଣିଜ୍ୟ ଓ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସେପ୍ଟେମ୍ବର ୮ରୁ ୧୨ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତରେ ପ୍ରମୁଖ ବ୍ୟବସାୟୀ ଓ ନିବେଶକମାନେ ଏକାଠି ହୋଇଛନ୍ତି।
ନିବେଶ ସମ୍ମିଳନୀର ପ୍ରଥମ ଦିନରେ ୨୦୨୬ ଜୁଲାଇ ୨ ତାରିଖରେ ସ୍ୱାକ୍ଷରିତ ଏମଓୟୁ ଆଧାରରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (ଆଇଏଚସି) ଓ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ସହ ଏକ ଗୁରୁତ୍ୱପୂର୍ଣ୍ଣ ରାଉଣ୍ଡଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଇଏଚସିର ଏମଡି ଓ ସିଇଓ ସୟଦ ବସର ଶୁଏବ, ଆଦାନୀ ପୋର୍ଟସ୍ ଆଣ୍ଡ୍ ସେଜ୍‌ର ପରିଚାଳନା ନିର୍ଦ୍ଦେଶକ କରଣ ଆଦାନୀ ଏବଂ ଆଦାନୀ ଗ୍ରୀନ୍ ଏନର୍ଜିର କାର୍ଯ୍ୟନିର୍ବାହୀ ନିର୍ଦେଶକ ସାଗର ଆଦାନୀ ଉପସ୍ଥିତ ଥିଲେ। ଆଲୋଚନା ପରେ ଓଡ଼ିଶା ସରକାର, ଆଇଏଚସି ଏବଂ ଆଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ନିମନ୍ତେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଡାଉନଷ୍ଟ୍ରିମ୍ ଧାତୁ ଶିଳ୍ପ, ସ୍ଲରି ପାଇପଲାଇନ୍, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ବିରଳ ମୃତ୍ତିକା, ରାସାୟନିକ ପଦାର୍ଥ, ନବୀକରଣଯୋଗ୍ୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ଭିତ୍ତିଭୂମି ଆଦି ଅନ୍ତର୍ଭୁକ୍ତ ରହିଛି। ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆଦାନୀ ଗ୍ରୁପ୍ ଏକ ଯୁଗ୍ମ ଉଦ୍ୟୋଗୀ ଭାବେ କାର୍ଯ୍ୟ କରୁଥିବା ବେଳେ ଆଲୁମିନା ରିଫାଇନାରୀ ପାଇଁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଏବଂ ଆଲୁମିନିୟମ୍ ସ୍ମେଲ୍ଟର ପାଇଁ ସୁନ୍ଦରଗଡ଼ ସଦର ତହସିଲରେ ଜମି ପ୍ରସ୍ତାବ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍ (ଆଇବିପିଜି) ର ସଭାପତି ରାଜୀବ ଶାହ ଓ ସାଧାରଣ ସମ୍ପାଦକ ବରୁଣ ୱାହିଙ୍କ ସମେତ ଅନ୍ୟ ବରିଷ୍ଠ ସଦସ୍ୟମାନଙ୍କୁ ଭେଟି ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା କରିଥିଲେ। ଓଡ଼ିଶାର ଉତ୍ପାଦ ଯଥା ହଳଦୀ, ଅଦା ଭଳି ମସଲା ଏବଂ ସାମୁଦ୍ରିକ ଖାଦ୍ୟର ରପ୍ତାନି ବୃଦ୍ଧି ପାଇଁ ରାଜ୍ୟ ସରକାର ଏବଂ ଆଇବିପିଜି ମଧ୍ୟରେ ଏକ ସହଯୋଗ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ବୋରୋଜ୍‌ର ସିଇଓ ହଜିମ୍ ସୁଲତାନ୍ ଅଲ୍ ସୁୱାଇଦିଙ୍କୁ ଭେଟି ଓଡ଼ିଶାରେ ଏକ ବୃହତ୍ କେମିକାଲ୍ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ସ୍ଥାପନ ପାଇଁ ଆହ୍ବାନ କରିଛନ୍ତି। ଏହାକୁ ପାରାଦ୍ବୀପଠାରେ ଆଇଓସିଏଲ୍‌ର ପ୍ରସ୍ତାବିତ ନାଫ୍‌ଥା କ୍ରାକର ସହ ସଂଯୋଗ କରାଯିବାର ସମ୍ଭାବନା ରହିଛି।
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଥିବା ବିଭିନ୍ନ ନିବେଶକାରୀ ସଂସ୍ଥା ସହ ଆୟୋଜିତ ଏକ ସ୍ୱତନ୍ତ୍ର ରାଉଣ୍ଡଟେବୁଲ୍ ବୈଠକରେ ରାଜ୍ୟର ଭିତ୍ତିଭୂମି ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପିପିପି ମାଧ୍ୟମରେ ବିକାଶ ପାଇଁ ଥିବା ବିଭିନ୍ନ ସରକାରୀ ପ୍ରକଳ୍ପଗୁଡ଼ିକୁ ନିବେଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏହି ରାଉଣ୍ଡଟେବୁଲ୍ ବୈଠକରେ ୟୁଏଇର ଅଗ୍ରଣୀ ନିବେଶ ଏବଂ ବ୍ୟବସାୟିକ ଅନୁଷ୍ଠାନର ବହୁ ବରିଷ୍ଠ ପ୍ରତିନିଧିମାନେ ଏକାଠି ହୋଇଥିଲେ। ବୈଠକରେ ଆଇଏଫସି ଜିସିସିର ଡିଭିଜନାଲ ଡିରେକ୍ଟର ଅବଦୁଲହା ଜୈନି ଜାଫ୍ରି ଏବଂ ଏଲିପ୍ଟିକ୍ ଏଫଜେଡ୍‌ର ଏମଡି ଫ୍ରାନ୍ସେସ୍କା ମାରିଆଙ୍କ ସମେତ ବହୁ ବରିଷ୍ଠ ପ୍ରତିନିଧି ଯୋଗ ଦେଇଥିଲେ।
ଓଡ଼ିଶାର ୟୁଏଇ ନିବେଶ ଅଭିଯାନର ଏହି ପ୍ରଥମ ଦିନ ବିଶ୍ୱସ୍ତରୀୟ ନିବେଶକ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହ ରାଜ୍ୟର ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି। ଭିତ୍ତିଭୂମି, ବନ୍ଦରର ବିକାଶ, ବାଣିଜ୍ୟ ଏବଂ ନିବେଶ ଭାଗୀଦାରି ଉପରେ ହୋଇଥିବା ଏହି ସକାରାତ୍ମକ ଆଲୋଚନା ଆଗାମୀ ଦିନରେ ଏକ ଦୃଢ଼ ମୂଳଦୁଆ ପକାଇବ ବୋଲି ସରକାର ଆଶା ରଖିଛନ୍ତି। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ପାଇଁ ୟୁଏଇରେ ଥିବା ସୁଯୋଗ ନେଇ ମଧ୍ୟ ଆଲୋଚନା ହୋଇଛି। ରୁଚି, ଫାର୍ମ ବି, ବି ୱାନ୍ ଓ ଓରି କ୍ଲିନ୍ ଭଳି ଓଡ଼ିଶାଭିତ୍ତିକ କମ୍ପାନୀର ପ୍ରତିନିଧିମାନେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ।