ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ରେ ଶୁକ୍ରବାର ୬ଷ୍ଠ ଦିନରେ ମହିଳା ସିଙ୍ଗଲ୍ସରେ ୩ଟି ବିପର୍ଯ୍ୟୟ ଘଟିଛି
1 min read
ନ୍ୟୁୟର୍କ: ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ରେ ଶୁକ୍ରବାର ୬ଷ୍ଠ ଦିନରେ ମହିଳା ସିଙ୍ଗଲ୍ସରେ ୩ଟି ବିପର୍ଯ୍ୟୟ ଘଟିଛି। ୭ମ ସିଡ୍ କାରୋଲିନା ମୁଚୋଭା, ୯ମ ସିଡ୍ ଏଲିନା ଶ୍ବିତୋଲିନା ଓ ୧୫ନଂ ସିଡ୍ ଡାଏନା ସ୍ନାଇଡର ୩ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଚେକିଆର କାରୋଲିନା ମୁଚୋଭାଙ୍କୁ ୨୬ନଂ ସିଡ୍ ଆମେରିକାର ଏମ୍ମା ନାଭାରୋ ୬-୩, ୭-୫ ସେଟ୍ରେ ପରାସ୍ତ କରିଛନ୍ତି। ୟୁକ୍ରେନ୍ର ଏଲିନା ଶ୍ବିତୋଲିନାଙ୍କୁ ୨୧ନଂ ସିଡ୍ ରୁଷିଆର ଆନ୍ନା କାଲିନ୍ସ୍କାୟା ୬-୩, ୨-୬, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ରୁଷିଆର ଡାଏନା ସ୍ନାଇଡରଙ୍କୁ ଅଣସିଡେଡ୍ ଆମେରିକାର ଟେଲର ଟାଉନ୍ସେଣ୍ଡ ୬-୨, ୬-୭, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ମଧ୍ୟ ବିପର୍ଯ୍ୟୟ ଘଟିଛି। ୧୫ନଂ ସିଡ୍ କାଜାଖ୍ସ୍ତାନର ଆଲେକ୍ଜାଣ୍ଡର ବୁବ୍ଲିକଙ୍କୁ ୫ଟି ସେଟ୍ରେ ୨୦ନଂ ସିଡ୍ ଆମେରିକାର ଟମି ପଲ୍ ପରାସ୍ତ କରିଛନ୍ତି। ୧୮ନଂ ସିଡ୍ ଚେକିଆର ଜିରି ଲେହେକାଙ୍କୁ ୨-୬, ୬-୧, ୭-୬, ୬-୧ରେ ଗ୍ରୀସ୍ର ଷ୍ଟିଫାନସ୍ ସିସିପାସ୍ ପରାସ୍ତ କରିଛନ୍ତି।
ତେବେ ପ୍ରମୁଖ ସିଡେଡ୍ ଖେଳାଳି ମ୍ୟାଚ୍ ଜିତି ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ ବେଲାରୁଷର ଆରିନା ସାବାଲେଙ୍କା ସହଜରେ ୬-୩, ୬-୪ ସେଟ୍ରେ ଉଜ୍ବେକିସ୍ତାନର କାମିଲା ରଖିମୋଭାଙ୍କୁ ପରାସ୍ତ କରିଛନ୍ତି। ୪ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଥିବା ସାବାଲେଙ୍କା ଗତ ଦୁଇବର୍ଷ ଧରି ଏଠାରେ ଚମ୍ପିଆନ୍ ହୋଇ ହ୍ୟାଟ୍ରିକ୍ ଲକ୍ଷ୍ୟରେ ଅଛନ୍ତି। ୨୦୨୪େର ଏଠାରେ ରନର୍ସଅପ୍ ହୋଇଥିବା ୩ୟ ସିଡ୍ ଆମେରିକାର ଜେସିକା ପେଗୁଲା ୧-୬, ୬-୪, ୬-୩ ସେଟ୍ରେ ୨୦୨୧ର ରନର୍ସଅପ୍ ୩୧ନଂ ସିଡ୍ କାନାଡାର ଲିଲା ଫର୍ଣ୍ଣାଣ୍ଡେଜ୍ଙ୍କୁ ପରାସ୍ତ କରିଛନ୍ତି। ୬ଷ୍ଠ ସିଡ୍ ଚେକିଆର ଲିଣ୍ଡା ନୋସ୍କୋଭା ୬-୨, ୬-୭, ୬-୨ ସେଟ୍ରେ ୨୯ନଂ ସିଡ୍ ଆମେରିକାର ଆନ୍ ଲିଙ୍କୁ ପରାସ୍ତ କରିଛନ୍ତି। ୧୧ନଂ ସିଡ୍ ୟୁକ୍ରେନ୍ର ମାର୍ତା କୋସ୍ତ୍ୟୁକ୍ ୬-୨, ୬-୩ ସେଟ୍ରେ ୧୬ନଂ ସିଡ୍ ରୁଷିଆର ଏକାତେରିନା ଆଲେକ୍ଜାଣ୍ଡ୍ରୋଭାଙ୍କୁ ପରାସ୍ତ କରିଛନ୍ତି। ୧୬ନଂ ସିଡ୍ ରୋମାନିଆର ସୋରାନା କ୍ରିଷ୍ଟିଆ ୬-୩, ୬-୩ ସେଟ୍ରେ ଇଟାଲୀର ଜାସ୍ମିନ୍ ପାଓଲିନିଙ୍କୁ ପରାସ୍ତକରି ୪ର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ପୁରୁଷ ସିଙ୍ଗଲ୍ସରେ ୨ୟ ସିଡ୍ ସ୍ପେନ୍ର କାର୍ଲୋସ୍ ଆଲ୍କାରାଜ ୪ର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ୨ଟି ୟୁଏସ୍ ଓପନ୍ ସହ ୭ଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ଆଲ୍କାରାଜ ୬-୩, ୬-୪, ୬-୧ ସେଟ୍ରେ ଚୀନ୍ର ୟିବିଙ୍ଗ୍ ୟୁଙ୍କୁ ପରାସ୍ତ କରିଛନ୍ତି। ୨୦୨୧ ୟୁଏସ୍ ଓପନ୍ ଚମ୍ପିଆନ୍ ୭ମ ସିଡ୍ ରୁଷିଆର ଡାନିଲ ମେଡ୍ଭେଡେଭ୍ ୬-୪, ୬-୪, ୬-୪ ସେଟ୍ରେ ଫ୍ରାନ୍ସର ଆର୍ଥର ରିଣ୍ଡରନେଚ୍ଙ୍କୁ ପରାସ୍ତ କରିଛନ୍ତି।


